ଏନ୍ଆର୍ଟିଏସ୍, ସିଟି ବ୍ୟାକ୍ ପେପର୍ ପରୀକ୍ଷା ୨୫ରୁ
କଟକ: ଆସନ୍ତା ୨୫ ଏବଂ ୨୭ ତାରିଖରେ ନାସ୍ନାଲ୍ ଟାଲେଣ୍ଟ୍ ସ୍କଲାରସିପ୍ (ଏନ୍ଆର୍ଟିଏସ୍) ପରୀକ୍ଷା ଦୁଇଟି ପର୍ୟ୍ୟାୟରେ ହେବ ବୋଲି ବୋର୍ଡ ପକ୍ଷରୁ ସମୟ ଧାର୍ୟ୍ୟ କରାଯାଇଛି । ହାଇସ୍କୁଲ୍ ସ୍ତରରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଏହି ପରୀକ୍ଷା ୨୫ ତାରିଖରେ କରାଯିବାକୁ ସ୍ଥିର ହୋଇଥିବାବେଳେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ୨୭ ତାରିଖରେ ଦେବେ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି । ସେହିପରି ସିଟି ତଥା ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ୍ର ବ୍ୟାକ୍ ପେପର୍ ପରୀକ୍ଷା ମଧ୍ୟ ୨୫ରୁ ଆରମ୍ଭ ହେବ । ଏହି ପରୀକ୍ଷା ଅକ୍ଟୋବର ୫ ତାରିଖ ପର୍ୟ୍ୟନ୍ତ ଚାଲିବ ବୋଲି ବୋର୍ଡ କାର୍ୟ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।
ଦୁଇଟି ପର୍ୟ୍ୟାୟରେ ହେବାକୁ ଥିବା ଏନ୍ଆର୍ଟିଏସ୍ ପରୀକ୍ଷା ଲାଗି ୫୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ଏହି ପରୀକ୍ଷା ଲାଗି ରାଜ୍ୟରେ ୩୨୦ରୁ ଅଧିକ ପରୀକ୍ଷା କେନ୍ଦ୍ର ସ୍ଥିର କରାଯାଇଛି । ସିଟି ପରୀକ୍ଷାରେ ପୂର୍ବରୁ ଫେଲ୍ ହୋଇଥିବା, ଅନୁପସ୍ଥିତ ଥିବା ଏବଂ କପି ଧରାପଡ଼ିଥିବା ପରୀକ୍ଷାର୍ଥୀମାନଙ୍କ ଲାଗି ବ୍ୟାକ୍ ପେପର ପରୀକ୍ଷା ମଧ୍ୟ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ । ତେବେ ମାତ୍ର ୨୫୦ ପରୀକ୍ଷାର୍ଥୀ ଏହି ସିଟି ବ୍ୟାକ୍ ପେପର ପରୀକ୍ଷା ଦେବେ । କମ୍ ସଂଖ୍ୟକ ପରୀକ୍ଷାର୍ଥୀ ଥିବାରୁ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ଜୟପୁର, ସମ୍ବଲପୁର ଓ ବାଲେଶ୍ୱର ଆଦି ୬ଟି ଜୋନ୍ରେ ୬ଟି ପରୀକ୍ଷା କେନ୍ଦ୍ର ରହିଛି ।
Powered by Froala Editor