ମନ୍ମଥ ଅନ୍ୟ ଦଳରୁ ଲଢ଼ିବାର ପ୍ରଶ୍ନ ଉଠୁନି : ସୁର ରାଉତରାୟ

ଭୁବନେଶ୍ୱର: ଯଦି ମନ୍ମଥ ଲଢ଼ିବ କଂଗ୍ରେସରୁ ଲଢ଼ିବ । ଅନ୍ୟ ଦଳରୁ ଲଢ଼ିବାର ପ୍ରଶ୍ନ ଉଠୁନି। କାରଣ ମୋ ରକ୍ତରେ ରହିଛି କଂଗ୍ରେସ । ଏଭଳି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଗତକାଲି ତାଙ୍କ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ଲଢିବେନି ବୋଲି କହିବା ପରେ ଆଜି ସୁର ରାଉତରାୟ ଏଭଳି କହିଛନ୍ତି । ସେ କହିଛନ୍ତି ଯେ ପ୍ରତ୍ୟକ୍ଷ ରାଜନୀତିରେ ସାନପୁଅର ସେତେଟା ଅଭିଜ୍ଞତା ନାହିଁ । ତେଣୁ ଚପଳା ମନରେ କଂଗ୍ରେସରୁ ଲଢିବାକୁ ମନା କରିଛି । କିନ୍ତୁ ସାନପୁଅ କଂଗ୍ରେସରୁ ଅଲବତ ଲଢିବ । ଜଟଣୀ ଆସନରୁ କଂଗ୍ରେସ ଟିକେଟ ପୁଅକୁ ମିଳିବ, ଜଟଣୀବାସୀ ଓ ମୁଁ ତାକୁ ଜିତାଇବାର ଦାୟିତ୍ୱ ନେବୁ । ଏନେଇ ଗତକାଲି ରାତିରେ ସାନପୁଅ ସହ କଥା ହୋଇଥିବା କହିଛନ୍ତି ସୁର ରାଉତରାୟ ।
ଗତ କିଛିଦିନ ତଳେ ବରିଷ୍ଠ କଂଗ୍ରେସ ବିଧାୟକ ତଥା ଜଟଣୀ ବିଧାୟକ ସୁର ରାଉତରାୟ ଏକ ପ୍ରେସମିଟରେ କହିଥିଲେ ପୁଅ ମୋର ଉତ୍ତରାଧିକାରୀ ଭାବେ କଂଗ୍ରେସ ଟିକେଟରେ ଜଟଣୀ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବ । ହେଲେ ମାସ କେଇଟା ଯାଇନି ବାପାଙ୍କ କଥାକୁ ଭୁଲ ପ୍ରମାଣିତ କରିଥିଲେ ପୁଅ ମନ୍ମଥ ରାଉତରାୟ । ବୁଧବାର କଂଗ୍ରେସରୁ ନିର୍ବାଚନ ଲଢିବେନି ବୋଲି କହିଥିଲେ ମନ୍ମଥ ରାଉତରାୟ । ଅଲଗା ଦଳରୁ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲେ ମନ୍ମଥ । କିନ୍ତୁ ଏବେ ଘୋଷଣା କରିବେନି ବୋଲି ରୋକ୍ଠୋକ ମନା କରିଦେଇଥିଲେ । ଅକ୍ଟୋବର ମାସରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିବେ ବୋଲି ସ୍ପଷ୍ଟ କରିଥିଲେ । ତେବେ ଏସବୁ ଭୁଲ୍ ପ୍ରମାଣିତ କରିଦେଇଛନ୍ତି ନିଜେ ସୁର ରାଉତରାୟ । କହିଛନ୍ତି ଯେ, ମୋ ପୁଅ ଯଦି ଲଢିବ କଂଗ୍ରେସରୁ ଲଢିବ ।
ପ୍ରକାଶ ଯେ ବୁଧବାର ମନ୍ମଥ କହିଥିଲେ ଯେ ତାଙ୍କର ଏକ ଟିମ ଜଟଣୀରେ ସର୍ଭେ କରିଥିଲା । ଆଉ ରିପୋର୍ଟ ଅନୁସାରେ ଜଟଣୀବାସୀ ତାଙ୍କୁ କଂଗ୍ରେସରୁ ଦେଖିବାକୁ ଚାହିୁଁନାହାନ୍ତି । ସେ କେଉଁ ଦଳରେ ଯୋଗଦେଇ ଟିକେଟ ନେବେ ତାହା ଅକ୍ଟୋବରରେ ଘୋଷଣା କରିବେ । ଏ ନେଇ ବଡ ଦଳର ବଡ ନେତାଙ୍କ ଯୋଗାଯୋଗରେ ଅଛନ୍ତି । ବିଗତ ସାଢ଼େ ୪ବର୍ଷ ଧରି ନିର୍ବାଚନମଣ୍ଡଳୀରେ କାମ କରି ଆସୁଛି। ଏହାଭିତରେ ଅନେକ ଅଭିଜ୍ଞତା ମିଳିଛି। ମୁଁ ଟିମ୍ ୱାର୍କରେ ବିଶ୍ବାସ କରେ। ତେବେ ଆସନ୍ତା ନିର୍ବାଚନରେ କଂଗ୍ରେସରୁ ନ ଲଢ଼ିବା ପାଇଁ କଲେଜ ଛାତ୍ରଛାତ୍ରୀ, ମହିଳା ଓ ସମସ୍ତଙ୍କର ମତ ରଖିଛନ୍ତି। ଜନତାଙ୍କ ମତକୁ ସମ୍ମାନ ଦେଇ ଏହି ନିଷ୍ପତ୍ତି ନେଇଛି। ଏହା ଗୋଟିଏ ଦିନର ନିଷ୍ପତ୍ତି ନୁହେଁ, ଭାବିଚିନ୍ତି ଏ ନିଷ୍ପତ୍ତି ନେଇଛି। ନିର୍ବାଚନମଣ୍ଡଳୀରେ ମଧ୍ୟ ଲୋକଙ୍କ ଭିତରେ ଏକପ୍ରକାର ଦ୍ବନ୍ଦ୍ବ ଦେଖା ଦେଇଥିଲା। କେଉଁ ଦଳରୁ ପ୍ରାର୍ଥୀ ହେବି ତାହା ସଂପର୍କରେ ଏକାଧିକ ମତ ରହିଛି। କେଉଁ ଦଳରୁ ପ୍ରାର୍ଥୀ ହେବି ତାହା ସଂପର୍କରେ ଲୋକଙ୍କ ମତ ଜାଣିସାରିଲିଣି। ଆସନ୍ତା ଅକ୍ଟୋବର ମାସରେ ଏହା ସଂପର୍କରେ ଘୋଷଣା ହେବ।
ସେ ଆହୁରି ମଧ୍ୟ କହିଥିଲେ ଯେ କଂଗ୍ରେସରୁ ପ୍ରାର୍ଥୀ ହେବି କି ନାହିଁ ସେ ସଂପର୍କରେ ବାପାଙ୍କ ସହ ଆଲୋଚନା କରିଥିଲି। ବାପା କିନ୍ତୁ ମୋ ଉପରେ ନିଷ୍ପତ୍ତି ଛାଡ଼ି ଦେଇଛନ୍ତି। ତାଙ୍କ ଲିଗାସିକୁ ନିଶ୍ଚିତ ଭାବେ ଆଗକୁ ନେବି। ଅଞ୍ଚଳର କିଛି ସମସ୍ୟାର ସମାଧାନ କରିବା ନେଇ ବହୁ ଦିନ ପୂର୍ବରୁ ନବୀନ ନିବାସକୁ ଯାଇଥିଲି। ତହିଁରୁ ୨ଟି ସମସ୍ୟାର ସମାଧାନ ରାଜ୍ୟ ସରକାର କରିଛନ୍ତି। ଶ୍ରୀଜଗନ୍ନାଥ ଜମିର ସମସ୍ୟାର ସମାଧାନ ନେଇ ଲଢ଼େଇ ଜାରି ରଖିଛି। ବ୍ୟବସ୍ଥାରେ ପରିବର୍ତନ କରିବା ମୋର ଲକ୍ଷ୍ୟ। ଶାସକ ଦଳ ନା ବିରୋଧୀ ଦଳରୁ ପ୍ରାର୍ଥୀ ହେବେ ପ୍ରଶ୍ନର ଉତ୍ତରରେ ଶ୍ରୀ ରାଉତରାୟ କହିଥିଲେ, ଏବେଠୁ ଦଳ କହିବା ଠିକ୍ ହେବ ନାହିଁ। ତେବେ ୭୦-୩୦% ମତ ମିଳିଛି। ଦିନକୁ ଦିନ ଏଥିରେ କିଛିଟା ପରିବର୍ତନ ଆସୁଛି। କିଛି ଘଟଣାକୁ ନେଇ ତୃଣମୂଳସ୍ତରରେ କିଛି ସମର୍ଥକ ମନଦୁଃଖ କରିଛନ୍ତି। ପୂର୍ବରୁ ଏହି ମତ ୮୦-୨୦% ରହିଥିଲା। ଯିଏ ଜଟଣୀବାସୀଙ୍କୁ ସମ୍ମାନ ଦେବ ମୁଁ ତାଙ୍କ ସହ ରହିବି ବୋଲି ସେ କହିଥିଲେ।
Powered by Froala Editor