ବାଦୁଡ଼ିଙ୍କଠାରୁ କରୋନାଭାଇରସ ମନୁଷ୍ୟ ଦେହକୁ ଆସିବା ସମ୍ଭାବନା ଅଧିକ
ନୂଆଦିଲ୍ଳୀ: ସମଗ୍ର ବିଶ୍ୱରେ କରୋନାଭାଇରସ ପ୍ରକୋପ ଜାରି ରହିଥିବା ବେଳେ ଆମେରିକାର ବୈଜ୍ଞାନିକମାନେ ନୂଆ କରୋନାଭାଇରସର ବୈଶ୍ୱିକ ହଟସ୍ପଟ ଠାବ କରିଛନ୍ତି । ଏହି ହଟସ୍ପଟଗୁଡ଼ିକରୁ ହିଁ ନୂଆ କରୋନାଭୂତାଣୁ ବ୍ୟାପିବା ସମ୍ଭାବନା ଅଧିକ ରହିଛି ବୋଲି ଗବେଷଣାରୁ ଜଣାପଡ଼ିଛି । ରିମୋଟ ସେନ୍ସିଂ ବ୍ୟବହାର କରି ଏଭଳି କେତେକ ଅଂଚଳ ଠାବ କରାଯାଇଛି ଯେଉଁଠି ବାଦୁଡ଼ିମାନଙ୍କର ଅଧିକ ଉପସ୍ଥିତି ରହିଛି ଏବଂ ବାଦୁଡ଼ିଙ୍କଠାରୁ କରୋନାଭାଇରସ ମନୁଷ୍ୟ ଦେହକୁ ଆସିବା ସମ୍ଭାବନା ମଧ୍ୟ ଅଧିକ । ଏହି ଗବେଷଣା ପଶ୍ଚିମ ୟୁରୋପରୁ ଦକ୍ଷିଣ ପୂର୍ବ ଏସିଆ ପର୍ଯ୍ୟନ୍ତ ଅଂଚଳରେ କରାଯାଇଛି । ବର୍କେଲ ସ୍ଥିତ ୟୁନିଭର୍ସିଟି ଅଫ କାଲିଫର୍ଣ୍ଣିଆର ଗବେଷକମାନେ ଏହି ଗ୍ଳୋବାଲ ହଟସ୍ପଟ ଠାବ କରିବାରେ ସକ୍ଷମ ହୋଇଛି । ବାଦୁଡ଼ିମାନଙ୍କଠାରୁ କେଉଁ ଅଂଚଳରେ ଲୋକଙ୍କ ଶରୀରକୁ ଭାଇରସ ସଂକ୍ରମିତ କରିବ ସେ ବାବଦରେ ରିପୋର୍ଟ ଉପସ୍ଥାପନ କରାଯାଇଛି । ଯେଉଁ ସବୁ ହଟସ୍ପଟ ଚିହ୍ନଟ କରାଯାଇଛି ସେଥିରୁ ଅଧିକାଂଶ ଚୀନରେ ଅବସ୍ଥିତ । ଏହା ବ୍ୟତୀତ ଜାପାନ ଏବଂ ଉତ୍ତର ଫିଲିପାଇନ୍ସର କିଛି ଅଂଚଳ ମଧ୍ୟ ହଟସ୍ପଟ ଭାବେ ଚିହ୍ନଟ ହୋଇଛି । ଗବେଷକ ମାରିଆ କ୍ରିଷ୍ଟିନା କହିଛନ୍ତି ଯେ ଭବିଷ୍ୟତରେ କରୋନା ଭାଇରସ ଯେଉଁ ଅଂଚଳରୁ ବ୍ୟାପିବା ସମ୍ଭାବନା ରହିଛି ତାହା ଠାବ ହୋଇଥିବାରୁ ଏବେ କିଭଳି ସତର୍କତା ପଦକ୍ଷେପ ଗ୍ରହଣ କରାଯିବ ତାହା ସଂପୃକ୍ତ ରାଷ୍ଟ୍ରମାନେ ଚିନ୍ତା କରିବା ଆବଶ୍ୟକ ।
Powered by Froala Editor