କେଇ ଘଣ୍ଟା ପରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ, ମେଘାଚ୍ଛନ୍ନ ହେବାରେ ଲାଗିଛି କେରଳ ଆକାଶ
ଭୁବନେଶ୍ୱର : ଆଉ ମାତ୍ର କେଇ ଘଣ୍ଟା ପରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । କେରଳ ଆକାଶ ଏବେ ଏଥିସହ ଦକ୍ଷିଣ ଆରବ ସାଗରର ଅଞ୍ଚଳରେ ପଶ୍ଚିମା ପବନ ଶକ୍ତିଶାଳୀ ହେବାରେ ଲାଗିଛି । ଉପଗ୍ରହ ଚିତ୍ରରୁ ଜଣାପଡ଼ୁଛି ଯେ କେରଳ ଉପକୂଳ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ଆରବ ସାଗର ଅଞ୍ଚଳର ଆକାଶରେ ମେଘ ଘନୀଭୂତ ହେଉଛି । ଫଳରେ ଆଉ କିଛି ଘଣ୍ଟା ମଧ୍ୟରେ କେରଳରେ ବର୍ଷା ଆରମ୍ଭ ହୋଇଯିବ ଓ ଭାରତକୁ ଚଳିତ ଥରର ପ୍ରଥମ ମୌସୁମୀ ସ୍ପର୍ଶ କରିବ ବୋଲି ଭାୂରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ପକ୍ଷରୁ କୁହାଯାଇଛି । ଅନ୍ୟପଟେ ରଜ ଆଡ଼କୁ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହେବ ବୋଲି ପୂର୍ବାନୁମାନ କରାଯାଉଛି । ଏଥିସହ ଏବେ ରାଜ୍ୟରେ ପ୍ରାକ ମୌସୁମୀ ବର୍ଷା ଜାରି ରହିଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
କେନ୍ଦ୍ର କହିଛି ଯେ ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ଏଥିସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ବୁଧବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇଥିଲା । ତେବେ ଆଜି ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏଥିସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ ।
Powered by Froala Editor