ଲାଗୁଛି ବିଜେପିର କ୍ୟାଲେଣ୍ଡରରେ ରାକ୍ଷୀ ପୂର୍ଣ୍ଣିମା ୧୦ ବର୍ଷରେ ଥରେ ଆସିଥାଏ: ଅଖିଳେଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଉଜ୍ଜଳା ଯୋଜନାରେ ଥିବା ଗ୍ୟାସ୍ ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସିଡି ଘୋଷଣା କରିଥିବା ବେଳେ ଏବେ ଏହାକୁ ନେଇ ରାଜନୀତି ବୟାନବାଜି ଆରମ୍ଭ ହୋଇଛି । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଟ୍ୱିଟ୍ କରି କହିଛନ୍ତି, ଶହେ ମାସର ଲୁଟ୍, ଆଉ ମାତ୍ର ୨୦୦ ଟଙ୍କାର ଛାଡ । ଲାଗୁଛି ବିଜେପିର କ୍ୟାଲେଣ୍ଡରରେ ଓନାମ ଓ ରାକ୍ଷୀ ପୂର୍ଣ୍ଣିମା ୧୦ ବର୍ଷରେ ଥରେ ଆସିଥାଏ । ଏହାପରେ ମଧ୍ୟ ଲୋକ କିଭଳି ଖୁସି ହେଉଛନ୍ତି କେଜାଣି । ଏବେ ବିଜେପି ନେତା ଧନ୍ୟବାଦ ଧାରା ମଧ୍ୟ ଆରମ୍ଭ କରିଦେବେ । କିନ୍ତୁ ବାସ୍ତବରେ ଏହା ସାଧାରଣ ଲୋକଙ୍କ ସହ ଧୋକ୍କା ।
ସେହିଭଳି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନେ ଖଡଗେ ଟ୍ୱିଟ୍ କରି କହିଛନ୍ତି, ଯେତେବେଳେ ଭୋଟ ହାର କମିଲା, ସେତେବେଳେ ନିର୍ବାଚନୀ ଉପହାର ବଣ୍ଟା ହେବା ଆରମ୍ଭ ହେଲା । ଗତ ୯ ବର୍ଷ ହେବ ୪୦୦ ଟଙ୍କାର ସିଲିଣ୍ଡର ୧୧୦୦ ଟଙ୍କାରେ ବିକ୍ରି ହେଲା ଏବଂ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦିଆଗଲା । ଏବେ ଇଣ୍ଡିଆ ମେଣ୍ଟର ପ୍ରଭାବ ବିଜେପି ଉପରେ ପଡିଲାଣି, ଯେଉଁଥିପାଇଁ କେନ୍ଦ୍ର ସରକାର ବାଧ୍ୟ ହୋଇ ଦର କମାଉଛି ।
Powered by Froala Editor