ପ୍ରଫୁଲ୍ଲ ସାମନ୍ତରା ଅପହରଣ ମାମଲା: ରାୟଗଡ଼ାରୁ ଆଣି ବ୍ରହ୍ମପୁରରେ ଛାଡ଼ିଦେଲେ

ରାୟଗଡ଼ାସ୍ଥିତ ଏକ ହୋଟେଲରୁ ନିଖୋଜ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରା ବ୍ରହ୍ମପୁରରେ ଠାବ ହୋଇଛନ୍ତି। ତାଙ୍କୁ ରାୟଗଡ଼ାରୁ ଆଣି ବ୍ରହ୍ମପୁର ସ୍ଥିତ ଘରେ ଛାଡ଼ି ଦେଇଛନ୍ତି ୪/୫ ଜଣ ବ୍ୟକ୍ତି। ସେହି ବ୍ୟକ୍ତିମାନେ କିଏ, ତାହା ସ୍ପଷ୍ଟ ହୋଇ ନଥିବା ବେଳେ ସେମାନେ ପୁଲିସ ବୋଲି ସନ୍ଦେହ କରାଯାଉଛି।
ପ୍ରଫୁଲ୍ଲ ସାମନ୍ତରା ଗଣମାଧ୍ୟମକୁ କହିଛନ୍ତି ଯେ, ରାୟଗଡ଼ାର ହୋଟେଲରେ ଥିଲା ବେଳେ କିଛି ଲୋକ ଅଚାନକ ପହଞ୍ଚିଥିଲେ। ସେମାନେ କିଛି ନ କହି ତାଙ୍କର ମୁହଁ ଓ ହାତକୁ କପଡ଼ା ବାନ୍ଧି ଦେଇଥିଲେ। ମୋବାଇଲ୍ ବନ୍ଦ କରିଦେଇଥିଲେ। ତା’ପରେ ବଳପୂର୍ବକ ତାଙ୍କୁ ଟେକିନେଇ ବୋଲେରୋରେ ଭର୍ତ୍ତି କରି ଦେଇଥିଲେ। ଏହି ବ୍ୟକ୍ତିମାନେ ସିଧା ସେଠାରୁ ଆଣି ବ୍ରହ୍ମପୁରରେ ପହଞ୍ଚାଇଥିଲେ। ଏହା ପୁଲିସର କାର୍ଯ୍ୟ ହୋଇପାରେ ବୋଲି ଅଭିଯୋଗ କରିଛନ୍ତି।
ଶ୍ରୀ ସାମନ୍ତରା କହିଛନ୍ତି ଯେ, ଯେଉଁ କର୍ମଚାରୀମାନେ ମତେ ରାୟଗଡ଼ାରୁ ବ୍ରହ୍ମପୁର ଆଣିଥିଲେ, ସେମାନେ କ୍ଷମା ମାଗିଛନ୍ତି। କର୍ମଚାରୀ ହୋଇଥିବାରୁ ଯାହା ଆଦେଶ ମିଳିଲା ତାହା କରିଛୁ ବୋଲି ସେମାନେ ତାଙ୍କୁ କହିଥିବା ସେ ପ୍ରକାଶ କରିଛନ୍ତି ।
Powered by Froala Editor