ପରଲୋକରେ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

ଭୁବନେଶ୍ୱର: ପ୍ରଖ୍ୟାତ କବି ଲେଖକ ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପରଲୋକ । ୯୫ ବର୍ଷ ବୟସରେ ପରଲୋକ । କିଛି ଦିନ ଧରି ଅସୁସ୍ଥ ଥିଲେ ଜୟନ୍ତ ମହାପାତ୍ର। ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଜୟନ୍ତ ମହାପାତ୍ର ସ୍ନାୟୁ ରୋଗରେ ପୀଡିତ ଥିଲେ । ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଆଜି ଶେଷକୃତ୍ୟ ସମ୍ପନ୍ନ ହେବ।
ଖବର ଅନୁଯାୟୀ, ରବିବାର ରାତିରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା। ଅଗଷ୍ଟ ୪ ତାରିଖରେ ଜୟନ୍ତ ମହାପାତ୍ର ଅସୁସ୍ଥ ହୋଇପଡିବାରୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଧୁନିକ ଭାରତୀୟ ଇଂରାଜୀ ସାହିତ୍ୟର ଅଗ୍ରଗଣ୍ୟ ଭାବେ ପରିଗଣିତ ହୋଇଥାନ୍ତି ଜୟନ୍ତ ମହାପାତ୍ର। ସେ ଥିଲେ ପ୍ରଥମ କବି ଯେ କି ଇଂରାଜୀ ସାହିତ୍ୟ ପାଇଁ ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ।
୨୦୦୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧି ମିଳିଥିଲା। ଜୟନ୍ତ ମହାପାତ୍ରଙ୍କ ପରଲୋକରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି ।
Powered by Froala Editor