ନିର୍ୟାତନା ଅଭିଯୋଗ:ଡକ୍ଟର ରଜତ କୁଜୁର ନିଲମ୍ବିତ

ବୁର୍ଲା: ପୁଣି ନିଲମ୍ବିତ ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ରଜତ କୁଜୁର । ତାଙ୍କ ବିରୋଧରେ ସେହି ବିଭାଗର ଜଣେ ମହିଳା ଅଧ୍ୟାପିକା ନିର୍ୟାତନା ଅଭିଯୋଗ ଆଣିଥିଲେ । ତୁରନ୍ତ କର୍ତ୍ତୃପକ୍ଷ କଠୋର ଆଭିମୁଖ୍ୟ ଗ୍ରହଣ କରି ଏଭଳି କାର୍ୟ୍ୟାନୁଷ୍ଠାନ ନେଇଛନ୍ତି । କୁଳପତିଙ୍କ ନିର୍ଦ୍ଦେଶରେ କୁଳସଚିବ ନିଲମ୍ବନ ଆଦେଶ ଜାରି କରିଛନ୍ତି । ଏହି ଘଟଣାରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରାଯିବ ବୋଲି କୁଳପତି କହିଛନ୍ତି । ସେପଟେ, ଆସନ୍ତା ସୋମବାର ଘଟଣାର ଫ୍ୟାକ୍ଟ ଫାଇଣ୍ଡିଂ କମିଟିର ବୈଠକ ହେବାକୁ ଯାଉଥିବା ବେଳେ ଏହାର ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁଳସଚିବ କହିଛନ୍ତି। ଅପରପକ୍ଷେ, ଡ. କୁଜୁର ତାଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ।
୩ ଦିନ ତଳେ ରାଜନୀତି ବିଜ୍ଞାନ ବିଭାଗର ଜଣେ ମହିଳା ଅଧ୍ୟାପିକା ଡ. କୁଜୁରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ । ୭ ବର୍ଷ ହେଲା ଡ. କୁଜୁର ତାଙ୍କୁ ମାନସିକ ନିର୍ୟାତନା ଦେଉଛନ୍ତି । ନିଶାସକ୍ତ ଅବସ୍ଥାରେ ବିଭାଗକୁ ଆସି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଛନ୍ତି । ତାଙ୍କର ଏଭଳି ଆଚରଣ ପାଇଁ ସମସ୍ତେ ଭୟଭୀତ ଥିବା ବେଳେ ବିଭାଗରେ ଶିକ୍ଷାର ବାତାବରଣ ନଷ୍ଟ ହେଉଛି ବୋଲି ଅଧ୍ୟାପିକା ଅଭିଯୋଗ କରି କୁଳପତିଙ୍କୁ ଲିଖିତ ଭାବେ ଜଣାଇଥିଲେ ।
Powered by Froala Editor