୯ ମାସର ଅଣ୍ଡିରା ସିଂହ ଶାବକ ମୃତ
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହ ସଫାରୀରେ ରହୁଥିବା ସିଂହୀ ବିଜ୍ଲୀର ୯ ମାସର ଅଣ୍ଡିରା ଶାବକର ହଠାତ ଶୁକ୍ରବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି । ଶନିବାର ଓୟୁଏଟିର ଏକ ଟିମ୍ ଆସି ମୃତଦେହ ବ୍ୟବଚ୍ଛେଦ କରିବେ ବୋଲି ଜଣାପଡିଛି ।
୨୨ ନଭେମ୍ବର ୨୦୨୨ରେ ସିଂହୀ ‘ବିଜ୍ଲୀ’ ୫ଟି (୪ଟି ଅଣ୍ଡିରା, ଗୋଟିଏ ମାଈ) ଶାବକ ଜନ୍ମ ଦେଇଥିଲା । ଧିରେ ଧିରେ ମା’ର ସେବା ଯତ୍ନରେ ଶାବକମାନେ ବଡ଼ ହେଉଥିଲେ । ସେମାନଙ୍କ ବୟସ ୯ ମାସ ହୋଇଯାଇଥିଲା । ହେଲେ ଚଳିତମାସ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ଶାବକର ଦେହ ଖରାପ ଆରମ୍ଭ ହୋଇଥିଲା । ତେଣୁ କର୍ତ୍ତୃପକ୍ଷ ବାଧ୍ୟହୋଇ ସୋମାନଙ୍କୁ ଚିକିତ୍ସା ପାଇଁ ଗୋଟିଏ ପରେ ଗୋଟିଏ ୫ ଶାବକଙ୍କୁ ମା’ ଠାରୁ ଅଲଗା କରିଥିଲେ। ସମସ୍ତଙ୍କ ଚିକିତ୍ସା କରାଯାଉଥିଲା ।
ସେମାନଙ୍କ ମଧ୍ୟରୁ ଗୋଟିଏ ଶାବକର ଗତ ୧୩ ତାରିଖରେ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ପ୍ରାଣୀ ଚିକିତ୍ସାଳୟ ଅଣାଯାଇ ପୁଣି ୧୬ ତାରିଖରେ ସଫାରୀରେ ଛଡାଯାଇଥିଲା । କିନ୍ତୁ ସମସ୍ତ ଶାବକମାନଙ୍କ ସ୍ୱାସ୍ଥ୍ୟ ପୂର୍ବଭଳି ଖରାପ ରହୁଥିଲା। ତେଣୁ ୧୭ ତାରିଖରେ ଓୟୁଏଟିର ଏକ ଦୁଇ ଜଣିଆ ମେଡିକାଲ ଟିମ୍ ପ୍ରାଣୀ ଉଦ୍ୟାନ ଗସ୍ତ କରିବା ସହ ୫ ଶାବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗୋଟିଏ ଅଣ୍ଡିରା ଶାବକର ମୃତ୍ୟୁ ହୋଇଛି । ଏହି ଶାବକର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ ସିଂହ ସଂଖ୍ୟା ୨୨କୁ ଖସିଆସିଛି ।
Powered by Froala Editor