ତାଜୁବ କଲା ଭଳି ତଥ୍ୟ, ଡିଏଫଓଙ୍କ ୨୦୬ ଗୁଣାରୁ ଅଧିକ ଆୟବହିର୍ଭୂତ ସମ୍ପତ୍ତି ଠୁଳ

ଭୁବନେଶ୍ୱର: ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡାଙ୍କର ଆଖି ଖୋସି ହେଲା ଭଳି ସମ୍ପତି ଦେଖି ଭିଜିଲାନ୍ସ ତାଜୁବ । କୋଟି କୋଟି ଟଙ୍କାର ସମ୍ପତି ଠାବ ହେବା ପରେ ଡିଏଫଓଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆଉ ଜେରା ବେଳେ ଭିଜିଲାନ୍ସ ହାତରେ ଯେଉଁସବୁ ତଥ୍ୟ ଲାଗିଛି, ତାହା ତାଜୁବ କଲା ଭଳି ।
ବାବୁଙ୍କ ଆୟବହିର୍ଭୂତ ସମ୍ପତି ତାଲିକା ୨୦୬ ପ୍ରତିଶତରୁ ଅଧିକ । ମୁନିକୁଡ଼ା ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ ନାଁରେ ୩ କୋଟି ଟଙ୍କା ହରିଲୁଟ୍ । କଟକ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ୧୭ଟି ପ୍ଲଟ୍ ଠାବ । କଟକ ଶ୍ରୀକୋରୁଅଁଠାରେ ୯୫୦୦ ବର୍ଗଫୁଟ୍ର ୪ ମହଲା ଅଟ୍ଟାଳିକା ଠାବ ।ବିରାଟ ଅଟ୍ଟାଳିକାର ମୂଲ୍ୟ ୧ କୋଟି ୮୦ ଲକ୍ଷ ଟଙ୍କା । ଭୁବନେଶ୍ୱର ପଳାଶୁୁଣିରେ ୫୧୦୦ ବର୍ଗଫୁଟରେ ତିନି ମହଲା କୋଠା । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବିଜୟଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଗୁରୁବାର ରାତିରେ ରାୟଗଡା ଡିଏଫଓ ବିଜୟ କୁମାର ପରିଡାଙ୍କୁ ଭୁବନେଶ୍ୱର ଆଣି ଜେରା କରିଥିଲା ଭିଜିଲାନ୍ସ । ଏହି ସମୟରେ ଅନେକ ସମ୍ପତି ଠାବ କରିଛି ଭିଜିଲାନ୍ସ । ତାଙ୍କ ଘରୁ ନଗଦ ୧ ଲକ୍ଷ ୨୪ ହଜାର ଟଙ୍କା ଜବତ କରାଯାଇଥିଲା । ସେହିପରି ଜବତ କରାଯାଇଥିବା ବ୍ୟାଙ୍କ ଆକାଉଂଟରେ ଥିବା ଟଙ୍କା ଓ ଜୀବନ ବୀମା ଜମା ରାଶିର ହିସାବ କରାଯାଉଛି । ହିସାବ ମିଳିବା ପରେ ସମ୍ପତି ୬ କୋଟି ଟଙ୍କା ଟପିପାରେ ବୋଲି ଅନୁମାନ କରାଯାଉଛି ।
Powered by Froala Editor