ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ୫-ଟି ସଚିବ ଆଜି ଗଞ୍ଜାମର ବେଗୁନିଆପଡା ଗସ୍ତ କରିବେ । ଏହା ପୂର୍ବରୁ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ଆଲୋକ ଶତପଥୀଙ୍କୁ ଉଠାଇ ନେଇଛି ପୋଲିସ । ସଚିବଙ୍କ ଗସ୍ତ ବେଳେ ବିରୋଧ ହେବା ନେଇ ଖବର ପାଇଥିଲା ପୋଲିସ । ଏହା ପରେ ବେଗୁନିଆପଡା ବ୍ଲକ ଛକରୁ ପୋଲିସ ଆଲୋକଙ୍କୁ ଉଠାଇ ନେଇଛି । ସଚିବଙ୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଳାର ବିଭିନ୍ନ ସ୍ଥାନରେ ପ୍ରାୟ ୨୦ଟି କାର୍ୟ୍ୟକ୍ରମରେ ସାମିଲ ହେବେ ସଚିବ ।
ଏହି ତିନି ଦିନିଆ ଗସ୍ତରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ୟ୍ୟର ସମୀକ୍ଷା କରିବେ ଫାଇଭ୍-ଟି ସଚିବ । ପାଣ୍ଡିଆନଙ୍କ ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଳା ରାଜନୀତି ଚଳଚଂଚଳ କରି ଦେଇଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସଚିବଙ୍କ ଗସ୍ତର ଗୋଟିଏ ଦିନ ପୂର୍ବରୁ ରାଜଧାନୀରେ ପ୍ରେସମିଟ୍ କରି ବର୍ଷିଛନ୍ତି । ଚ୍ୟାଲେଞ୍ଜ ଦେଇ କହିଛନ୍ତି, ସେ ସଚିବଙ୍କ ସଭାସ୍ଥଳକୁ ଯିବେ । ତାଙ୍କ ଯିବା ବାଟରେ ଯଦି କିଛି ଅଘଟଣ ଘଟେ ତେବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ । କେବଳ ପ୍ରଦୀପ ପାଣିଗ୍ରାହୀ ନୁହଁନ୍ତି ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ସଚିବଙ୍କ ଗସ୍ତକୁ ଜୋରଦାର ବିରୋଧ କରାଯିବ ବୋଲି କୁହାଯାଇଛି ।
Powered by Froala Editor