ଚନ୍ଦ୍ର ମିଶନରେ ଭାରତ ସହ ଅଂଶୀଦାର ହୋଇ ଆମେ ଗର୍ବିତ:କମଲା ହାରିସ୍
ୱାଶିଂଟନ: ମହାକାଶରେ ଇତିହାସ ରଚିଛି ଭାରତ । ତୃତୀୟ ମୁନ ମିଶନ ଚନ୍ଦ୍ରଯାନ-୩ର ସଫଳତା ପାଇଁ ଇସ୍ରୋ ଓ ଭାରତକୁ ଏବେ ସାରା ବିଶ୍ବରୁ ଅଭିନନ୍ଦନର ସୁଅ ଛୁଟୁଛି । ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ ଭାରତର ଏହି ସଫଳତାକୁ ଅବିଶ୍ବସନୀୟ ଉପଲବ୍ଧି ଭାବେ ବର୍ଣ୍ଣନା କରିବା ସହ ଭାରତୀୟ ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ''ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଐତିହାସିକ ଅବତରଣ ପାଇଁ ଭାରତକୁ ଅଭିନନ୍ଦନ । ଏହି ମିଶନ ସହ ଜଡିତ ଥିବା ସମସ୍ତ ବୈଜ୍ଞାନିକ, ଇଞ୍ଜିନିୟରଙ୍କ ପାଇଁ ଏହା ବଡ ଉପଲବ୍ଧି । ଏହି ଚନ୍ଦ୍ର ମିଶନ ଓ ମହାକାଶ ଗବେଷଣାରେ ବ୍ୟାପକ ରୂପେ ଭାରତ ସହ ଅଂଶୀଦାର ହୋଇ ଆମେ ଗର୍ବିତ ।''ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ସାରା ଦେଶ ଖୁସିରେ ଝୁମି ଉଠିଥିଲା । ଦେଶର କୋଣ ଅନୁକୋଣରୁ ଇସ୍ରୋକୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଭାରତ ପୂର୍ବରୁ ଆମେରିକା, ଋଷିଆ ଓ ଚୀନ ଚନ୍ଦ୍ରରେ ଅବତରଣ କରିଛନ୍ତି । କିନ୍ତୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ପ୍ରଥମ ଦେଶ । ଏହି ଐତିହାସିକ ସଫଳତାକୁ ରାଷ୍ଟ୍ରପତି ମୁର୍ମୁ ଅବିସ୍ମରଣୀୟ ମୁହୂର୍ତ୍ତ କହିଛନ୍ତି । ପ୍ରଧାନମନ୍ତ୍ରୀ ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ନୂଆ ଇତିହାସ ସୃଷ୍ଟି ହୋଇଛି । ଏହା ନୂତନ ଭାରତର ସୂର୍ୟ୍ୟୋଦୟ ବୋଲି କହିଛନ୍ତି ।
Powered by Froala Editor