ରୁଷ୍ରୁ କମ୍ ତେଲ ମଗାଇଛି ଭାରତ
ନୂଆଦିଲ୍ଲୀ: ରୁଷ୍ ତେଲ ଉପରେ ମିଳୁଥିବା ରିହାତି ହ୍ରାସ ପାଇବା ପରେ ଭାରତ ସେହି ତେଲ କିଣିବା କମ୍ କରିଛି। ଗତ ଜୁଲାଇରେ ଭାରତ ରୁଷ୍ରୁ କମ୍ ତେଲ ମଗାଇଛି। ଗତ ୯ ମାସ ଭିତରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି। ଗତବର୍ଷ ୟୁକ୍ରେନ୍ ସହ ରୁଷ୍ ଯୁଦ୍ଧ ଆରମ୍ଭ କରିବା ପରେ ଭାରତ ସେଠାରୁ ବିପୁଳ ପରିମାଣର ତେଲ ମଗାଉଥିଲା। କାରଣ ରୁଷ୍ ମୋଟା ଅଙ୍କର ରିହାତି ଦେଉଥିଲା। ଏବେ କିନ୍ତୁ ସେହି ରିହାତି କମ୍ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ଗତ ଜୁଲାଇରେ ଭାରତ ଉଭୟ ରୁଷ୍ ଓ ସାଉଦି ଆରବଠାରୁ ତେଲ କିଣିବା କମ୍ କରିଛି। ଏହି ଦୁଇ ଦେଶ ଉତ୍ପାଦନ ହ୍ରାସ କରିବାରୁ ସେମାନଙ୍କ ତେଲ ପୂର୍ବାପେକ୍ଷା ମହଙ୍ଗା ହୋଇଛି। ସାଉଦି ଆରବରୁ ଭାରତ ଯେତିକି ତେଲ ମଗାଇଛି ତାହା ଗତ ଅଢ଼େଇ ବର୍ଷରେ ସବୁଠୁ କମ୍। ତେଲ ଉତ୍ପାଦନ ଓ ରପ୍ତାନି କମ୍ କରିବା ଲାଗି ଓପେକ୍ ଅଧୀନରେ ଥିବା ଦେଶଗୁଡ଼ିକ ନିଷ୍ପତ୍ତି ନେଇଥିବାରୁ ତେଲ ଦାମ୍ ବଢ଼ିଛି।
ଜୁଲାଇରେ ଭାରତର ତୈଳ ଆମଦାନି ୫.୨ ପ୍ରତିଶତ ହ୍ରାସ ହୋଇଛି। ରୁଷ୍ ତେଲ ଆମଦାନି ୫.୭ ପ୍ରତିଶତ ହ୍ରାସ ପାଇଥିବା ବେଳେ ସାଉଦି ତେଲ କିଣା ୨୬ ପ୍ରତିଶତ କମିଛି। ଅଗଷ୍ଟ ଓ ସେପ୍ଟେମ୍ବରରେ ମଧ୍ୟ ରୁଷ୍ ତେଲ ଆମଦାନି ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। କାରଣ ଏହି ସମୟରେ ତୈଳ ବିଶୋଧନକାରୀମାନେ ସେମାନଙ୍କ କାରଖାନାର ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ କରିଥାନ୍ତି। ଅନ୍ୟ ପକ୍ଷରେ ରୁଷ୍ ତେଲର ମୂଲ୍ୟ ବ୍ୟାରେଲ ପିଛା ୬୦ ଡଲାରରୁ କମ୍ ହୋଇପାରିବନି ବୋଲି ୟୁରୋପୀୟ ସଂଘ ଓ ଜି୨୦ ଯେଉଁ କଟକଣା ଲଗାଇଛନ୍ତି ତାହାର ପ୍ରଭାବ ମଧ୍ୟ ପଡ଼ିବ। ଯଦିଓ ଜୁଲାଇରେ ରୁଷ୍ରୁ ତେଲ କିଣା କମ୍ ହୋଇଛି, ତଥାପି ତାହା ଏକ ନମ୍ବର ସ୍ଥାନରେ ରହିଛି। ତା’ପଛକୁ ରହିଛନ୍ତି ଇରାକ ଓ ସାଉଦି ଆରବ। ୟୁଏଇ ଓ ନାଇଜେରିଆରୁ ମଧ୍ୟ ଭାରତ ତେଲ କିଣିଛି।
Powered by Froala Editor