ମାଛ ଖାଇଲେ ଐଶ୍ୱର୍ଯ୍ୟାଙ୍କ ଭଳି ଆଖି ଚମକିବ, ଏକଥା କହି ବିବାଦରେ ମନ୍ତ୍ରୀ
ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାରରେ ଜନଜାତି ବିକାଶ ମନ୍ତ୍ରୀ ଡକ୍ଟର ବିଜୟକୁମାର ଗାବିତ୍ ତାଙ୍କର ବିବୃତିକୁ ନେଇ ଏବେ ବିବାଦୀୟ ହୋଇପଡ଼ିଛନ୍ତି। ମାଛ ଖାଇଲେ କେଉଁ ସବୁ ଲାଭ ମିଳେ ତାହା ଜଣାଇବାକୁ ଯାଇ ସେ କହିଛନ୍ତି ଯେ ମାଛ ଖାଉଥିବାରୁ ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଆଖି ଏବଂ ଚର୍ମ ଚମକୁଛି।
ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାରେ ଏକ ଜନସଭାରେ ଯୋଗ ଦେବା ଅବସରରେ ମନ୍ତ୍ରୀ ବିଜୟ କୁମାର କହିଥିଲେ, ଯେଉଁ ସବୁ ଦିନେ ମାଛ ଖାଉଛନ୍ତି ସେମାନଙ୍କ ଚର୍ମ କୋମଳ ହୋଇଥାଏ। ଆଉ ସେମାନଙ୍କ ଆଖି ଝଲସି ଉଠେ। ସେହି ଲୋକମାନଙ୍କ ପ୍ରତି ସମସ୍ତେ ଆକର୍ଷିତ ହୁଅନ୍ତି।
ସେ କହିଥିଲେ, ମୁଁ ଆପଣମାନଙ୍କୁ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ କହିଲି କି? ସେ ମାଙ୍ଗାଲୁରୁରେ ସମୁଦ୍ର କୂଳରେ ରହନ୍ତି। ସେ ପ୍ରତିଦିନ ମାଛ ଖାଉଥିବେ। ଆପଣମାନେ ତାଙ୍କ ଆଖି ଦେଖିଛନ୍ତି କି? ଆପଣମାନଙ୍କ ଆଖି ବି ତାଙ୍କ ଭଳି ଦେଖାଯିବ। ଏଭଳି କହିବା ସହ ମନ୍ତ୍ରୀ ତାଙ୍କ ଅଭିଭାଷଣରେ ମତ୍ସ୍ୟଚାଷର ଲାଭ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।
ଏନ୍ସିପି ବିଧାୟକ ଅମୋଲ ମିଟକରୀ କହିଛନ୍ତି ଯେ ଆଦିବାସୀମାନଙ୍କ ସମସ୍ୟା ଉପରେ ମନ୍ତ୍ରୀ ଗୁରୁତ୍ୱ ଦିଅନ୍ତୁ। ଅନାବଶ୍ୟକ ମନ୍ତବ୍ୟ ଦେବାରୁ ବିରତ ରୁହନ୍ତୁ।
Powered by Froala Editor