ପୁଣି ମଣିପୁରରେ ହିଂସା; ଗୁଳି ମାଡ଼ରେ ୩ ମୃତ
ଇମ୍ଫାଲ: ସଂରକ୍ଷଣକୁ ନେଇ ମଣିପୁରରେ କୁକି ଏବଂ ମେଇତି ସମ୍ପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ହିଂସା ଥମିବାର ନା ଧରୁନି। ଉଭୟ ସମ୍ପ୍ରଦାୟ ପୁଣି ପରସ୍ପରର ରକ୍ତ ପିପାସୁ ହୋଇ ଉଠିଛନ୍ତି। ଉଖରୁଲ ଜିଲ୍ଲା ଲିଟନ ନିକଟସ୍ଥ ତୱାଇ ଗ୍ରାମରେ ଗୁଳି ମାଡ଼ ହୋଇଛି। ଆକ୍ରମଣରେ କୁକି ଅଧ୍ୟୁଷିତ ଏହି ଗ୍ରାମର ୩ ସ୍ବେଚ୍ଛାସେବୀ ପ୍ରାଣ ହରାଇଛନ୍ତି। କୁକି ସମ୍ପ୍ରଦାୟର ସଂଗଠନ ଇଣ୍ଡିଜିନସ ଟ୍ରାଇବାଲ ଲିଡର୍ସ ଫୋରମ (ଆଇଟିଏଲ୍ଏଫ୍) ର ମୁଖପାତ୍ରଙ୍କ ଅନୁଯାୟୀ ମେଇତି ଲୋକଙ୍କ ଆକ୍ରମଣରେ ଜମାଖୋଗିନ (୨୬), ଥାଙ୍ଗଖୋକାଇ (୩୫) ଏବଂ ହାଲସେନ (୨୪) ଙ୍କ ମୃତ୍ୟୁ ହୋଇଛି। ଲିଟନ ପୁଲିସ ଅନୁଯାୟୀ ପ୍ରବଳ ଗୁଳିଗୋଳା ମାଡ଼ ହେଉଥିବାର ଶବ୍ଦ ଶୁଭିଥିଲା। ଏହା ପରେ ପୁଲିସ ଆଖପାଖ ଗ୍ରାମ ଏବଂ ଜଙ୍ଗଲରେ ତଲାସୀ ଅଭିଯାନ ଆରମ୍ଭ କରିଥିଲା। ଏଠାରୁ ୩ ଜଣଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା। କିଛି ଅଙ୍ଗ ମଧ୍ୟ କଟି ଯାଇଥିଲା। ସମସ୍ତଙ୍କ ଶରୀରରେ ଛୁରା ମାଡ଼ ହୋଇଥିବାର ଚିହ୍ନ ଥିଲା।
Powered by Froala Editor