ହିନ୍ଦୀ ଖାତା ନେଇ ନଥିଲା ଷଷ୍ଠ ଶ୍ରେଣୀ ଛାତ୍ର, ତଣ୍ଟି ଚିପିଦେଲେ ଶିକ୍ଷକ
ସ୍କୁଲରେ ପିଲାଙ୍କୁ ମାଡ ପୂରାପୂରି ବନ୍ଦ କରାଯାଇଛି । ହେଲେ କିଛି ଶିକ୍ଷକଙ୍କ ସକାଶେ ଏବେ ମଧ୍ୟ ପିଲାମାନେ ଭୟ କରୁଛନ୍ତି । ନିକଟରେ ଏକ ଘଟଣା ଘଟିଛି, ଯାହାକୁ ଶୁଣିଲେ ଆପଣ ବି ଶିକ୍ଷକଙ୍କ ଉପରେ ରାଗିଯିବେ । ସାମାନ୍ୟ ହିନ୍ଦୀ ଖାତା ନେବାକୁ ଭୁଲି ଯିବାରୁ ଶିକ୍ଷକ ରାଗିଯାଇ ଷଷ୍ଠ ଶ୍ରେଣୀ ଛାତ୍ରର ତଣ୍ଟି ଚିପି ଦେଇଛି । ଏହାପରେ ପିଲାଟି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଅଛି । ଏପରି ଏକ ଘଟଣା ରାଜଧାନୀ ଦିଲ୍ଲୀର ଦୟାଲପୁର ପୁଲିସ୍ ଷ୍ଟେଶନ ଅଞ୍ଚଳରେ ଘଟିଛି।
ଷଷ୍ଟ ଶ୍ରେଣୀ ଛାତ୍ର ଅରବାଜଙ୍କ ପିତା ମହମ୍ମଦ ରାମଜାନୀଙ୍କ କହିବାନୁଯାୟୀ, ଘଟଣା ଦିନ ପୁଅ ହିନ୍ଦୀ ଖାତା ସ୍କୁଲ ନେବାକୁ ଭୁଲି ଯାଇଥିଲା। କ୍ଲାସ୍ରେ ଶିକ୍ଷକ ସାଦୁଲ ହସନ ସମସ୍ତଙ୍କ ଖାତା ଚେକ୍ କରୁଥିବା ବେଳେ ମୋ' ପୁଅ ଖାତା ନେଇ ନ ଥିବାରୁ ତା' ଉପରେ ନିର୍ଯାତନା ଆରମ୍ଭ କରି ଦେଲେ। ସେ ନିର୍ଧୂମ ପିଟିବା ସହ ତା' ଗାଲକୁ ଚାପୁଡ଼ା ମାରିଥିଲେ। ଏତିକିରେ ରାଗ ଶାନ୍ତ ନ ହେବାରୁ ସେ ତା' ତଣ୍ଟି ଚିପିବାକୁ ପଛାଇଲେ ନାହିଁ।
ଏନେଇ ପୀଡ଼ିତ ଛାତ୍ରଙ୍କ ବାପା ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏ ନେଇ ସ୍କୁଲ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନି। ପିଲାଟି ସ୍ୱାସ୍ଥ୍ୟରେ ଅବନତି ଘଟୁଥିବା ବେଳେ କଥା କହିବା ଅବସ୍ଥାରେ ନ ଥିବା ତା' ବାପା କହିଛନ୍ତି।
Powered by Froala Editor