ଛତାରେ ଭୁସି ସ୍ତ୍ରୀକୁ ମାରିଦେଲା ମଦୁଆ ସ୍ୱାମୀ
ନବରଂଗପୁର ଟାଉନ୍ ଥାନା ଅନ୍ତର୍ଗତ ବଡ଼ଡାଇଭଟା ଗାଁରେ ରବିବାର ଅଭାବନୀୟ ଘଟଣା ଘଟିଛି। ମଦୁଆ ସ୍ୱାମୀ ଛତା ମୁନରେ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଛି । ମୃତ ମହିଳା ହେଲେ ସସ୍ମିତା ଖିଲୋ।
ମାଲକାନାଗିରି ଜିଲ୍ଲାର ରବି ଖିଲୋଙ୍କୁ ବଡ଼ଡାଇଭଟା ସସ୍ମିତା ବିବାହ କରିଥିଲେ। କିନ୍ତୁ କୌଣସି କାରଣରୁ ରବି ମାଲକାନଗିରି ଜିଲ୍ଲାର ନିଜ ପୈତୃକ ଘରେ ରହୁ ନଥିଲେ। ଉଭୟ ସ୍ବାମୀ ଓ ସ୍ତ୍ରୀ ଗତ ୬ ମାସ ହେବ ବଡ଼ଡାଇଭଟା ଗ୍ରାମରେ ରହି ଆସୁଥିଲେ। ସେମାନେ ରାଜପଥକଡ଼ରେ ମକା ପୋଡ଼ି ବ୍ୟବସାୟ କରି ପରିବାର ଚଳାଉଥିଲେ। ତାଙ୍କର ୨ଟି ପୁଅ ଅଛନ୍ତି। ତେବେ ରବି ଖିଲୋ ପ୍ରତିଦିନ ମଦ ପିଉଥିବାରୁ ସସ୍ମିତାଙ୍କ ସହିତ ଝଗଡ଼ା କରୁଥିଲା। ମଦପିଇବାକୁ ନେଇ ସସ୍ମିତା ବାରଣ କରୁଥିଲେ ମଧ୍ୟ ରବି ଶୁଣୁ ନଥିଲା।
ଆଜି ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ରବି ଘର ଭିତରେ ଥିବା ଛତାକୁ ଆଣି ସସ୍ମିତାଙ୍କୁ ବାରମ୍ବାର ଭୁସି ଚାଲିଥିଲେ । ରାଗରେ ହିତାହିତ୍ୟ ଜ୍ଞାନ ଭୁଲିଯାଇଥିଲା ସେ । ସବୁ ଜାଣିବା ବେଳକୁ ସସ୍ମିତାଙ୍କ ମୃତ୍ୟୁ ହୋଇସାରିଥିଲା ।
Powered by Froala Editor