ସ୍ତ୍ରୀ, ଦୁଇ ଝିଅଙ୍କୁ ମାରି ଆତ୍ମହତ୍ୟା କଲା ସପ୍ଟୱେୟାର କମ୍ପାନୀ କର୍ମଚାରୀ

ସେ ଥିଲେ ଜଣେ ସଫ୍ଟୱେୟାର କମ୍ପାନୀର ଟିମ୍ ମୁଖ୍ୟ । ହେଲେ ସେୟାର ମାର୍କେଟରେ ନିଶା ଘାରିଥିଲା । ବାରମ୍ବାର କ୍ଷତି ସହିବା ପରେ ବି ଚେତୁନଥିଲେ । ବ୍ୟାଙ୍କରୁ ଋଣ ନେଇ ସେୟାର ମାର୍କେଟରେ ଟଙ୍କା ଲଗାଉଥିଲେ । ସ୍ତ୍ରୀ ତାଗିଦ କରିବା ତାଙ୍କୁ ଭଲ ଲାଗୁନଥିଲା । ଶେଷରେ ଋଣ ଭାର ଏତେ ବଢିଯାଇଥିଲା ଯେ, ଅପରାଧର ବାଟ ବାଛିନେଲେ । ସ୍ତ୍ରୀ ସହ ଦେଢ ବର୍ଷ ଓ ୮ ମାସର ଦୁଇ ଝିଅଙ୍କୁ ମାରିଦେଇଥିଲେ । ୩ ଦିନ ଯାଏ ସେମାନଙ୍କ ଶବ ପାଖରେ ବସିବା ପରେ ନିଜେ ଆତ୍ମହତ୍ୟା କରିଥିଲେ । ଏଭଳି ଦୁଃଖଦ ଘଟଣା ଘଟିଛି ବେଙ୍ଗାଲୁରୁରେ ।
ସୂଚନା ଅନୁସାରେ, କୁଣ୍ଡଲହାଲ୍ଲିରେ ଏକ ସଫ୍ଟୱେୟାର୍ କମ୍ପାନୀରେ ଟିମ୍ ମୁଖ୍ୟ ଭାବେ କାମ କରୁଥିଲେ ଆନ୍ଧ୍ରପ୍ରଦେଶର ୩୧ ବର୍ଷ ବୟସ୍କ ବୀରଅର୍ଜୁନ ବିଜୟ। ସେ କିଛି ବର୍ଷ ପୂର୍ବେ ସେୟାର ମାର୍କେଟରେ ପ୍ରବେଶ କରିଥିଲେ, ଯେଉଁଥିରେ କି ସେ ଖୁବ୍ କ୍ଷତି ସହିଥିଲେ। ବ୍ୟାଙ୍କରୁ କିଛି ଟଙ୍କା ଋଣ ଆକାରରେ ଆଣି ସେୟାର ମାର୍କେଟରେ ନିବେଶ କରିଥିଲେ। କ୍ଷତି ସହିବାରୁ ସେ ସବୁବେଳେ ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ। ଏହି କାରଣରୁ ପରିବାରରେ ଅଶାନ୍ତି ଲାଗି ରହୁଥିଲା। ପତ୍ନୀ ତାଙ୍କୁ ସେୟାର ମାର୍କେଟରେ ଆଉ ପୁଞ୍ଜି ନଖଟେଇବାକୁ ବାରମ୍ବାର କହୁଥିଲେ।
ପାରିବାରିକ କଳହ କାରଣରୁ ବୀରଅର୍ଜୁନ ୩୧ ଜୁଲାଇରେ ପ୍ରଥମେ ପତ୍ନୀଙ୍କ ଗଳା କାଟି ହତ୍ୟା କରିଥିଲେ। ଏହାପରେ ଦେଢ଼ ବର୍ଷ ଓ ଆଠ ମାସର ଦୁଇ ଝିଅଙ୍କୁ ହତ୍ୟା କରିଥିଲେ। ସ୍ତ୍ରୀ ଓ ଝିଅକୁ ହତ୍ୟା କରିବା ପରେ ମୃତଦେହ ସହ ୩ ଦିନ ରହିଥିଲେ ବୀରଅର୍ଜୁନ। ଶେଷରେ ନିଜେ ଫ୍ୟାନରେ ଝୁଲି ପଡ଼ିଥିଲେ। ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ ପଡ଼ୋଶୀ ପୁଲିସକୁ ଖବର ଦେଇଥିଲେ । ପୁଲିସ ମୃତଦେହ ଜବତ କରିବା ସହ ଘରୁ ତାଙ୍କର ଲ୍ୟାପଟପ ଓ ମୋବାଇଲ ଜବତ କରିଛି । ଏଥିରୁ ମିଳିଥିବା ତଥ୍ୟରୁ ପୁଲିସ ହତ୍ୟାକାଣ୍ଡ ଓ ଆତ୍ମହତ୍ୟାର କାରଣ ଅନୁମାନ କରିଛି ।
Powered by Froala Editor