ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସ୍ୱଇଚ୍ଛାରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ବୋଲି ଧରାଯିବ ନାହିଁ
କଟକ: ତାଙ୍କ ସହମତି ବିନା ଅଭିଯୁକ୍ତ ଶାରୀରିକ ସମ୍ପର୍କ ରଖିଥିଲା ବୋଲି ପୀଡ଼ିତା କେବଳ କହିଦେଲେ ଜଣକୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ ପାରିବନାହିଁ । ଅସହମତି ନେଇ ପ୍ରମାଣ ରହିବା ଦରକାର । ଅନ୍ୟପକ୍ଷରେ ଯଦି ଅଦାଲତଙ୍କୁ ମିଳୁଥିବା ରେକର୍ଡରୁ ପ୍ରମାଣିତ ହେଉଛି ଯେ, ପୀଡ଼ିତା ଜଣକ ସ୍ୱଇଚ୍ଛାରେ ବା ସହମତିରେ ଅଭିଯୁକ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖିଛନ୍ତି ତାହେଲେ ଏହା ଦୁଷ୍କର୍ମ ବୋଲି ଧରାଯିବନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁ ଏ ସଂପର୍କିତ ଏକ ମାମଲାର ବିଚାର କରି ଦୁଷ୍କର୍ମ ଅଭିଯୋଗରେ ୧୦ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ ସୁନ୍ଦରଗଡ଼ ଜିଲ୍ଲାର ଶାନ୍ତନୁ କଉଡ଼ିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି ।
ମାମଲାରୁ ଜଣାଯାଇଛି, ସୁନ୍ଦରଗଡ଼ ସଦର ଥାନାରେ ୨୦୧୩ ମସିହା ଅଗଷ୍ଟ ୧୪ ତାରିଖରେ ପୀଡ଼ିତାଙ୍କ ପିତା ଏକ ଏତଲା ଦେଇ ତାଙ୍କ ଝିଅକୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ଛେଳି ଚରାଇବାକୁ ଜଙ୍ଗଲକୁ ଯାଉଥିବା ତାଙ୍କ ଝିଅକୁ ଅଭିଯୁକ୍ତ ଶାନ୍ତନୁ କଉଡି ଭୟଭୀତ କରି ଶାରୀରିକ ସଂପର୍କ ରଖିଥିଲା । ଫଳରେ ପୀଡ଼ିତା ୭ ମାସର ଗର୍ଭବତୀ ହୋଇଥିବା ଏତଲାର ଦର୍ଶାଯାଇଥିଲା । ଏହି ମାମଲାରେ ପୁଲିସ୍ ଏଫଆଇଆର ପରଦିନ ଅର୍ଥାତ ୧୫ ତାରିଖରେ ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ମାମଲାର ଶୁଣାଣି ଅତିରିକ୍ତ ସେସନ୍ସ ଜଜ୍, ସୁନ୍ଦରଗଡ଼ରେ ହୋଇଥିଲା । ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ।
ଏହି ଆଦେଶକୁ ଚାଲେଞ୍ଜ କରି ଆସାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।
Powered by Froala Editor