ମର୍ମନ୍ତୁଦ ଦୁର୍ଘଟଣା:୧୨ ମୃତ
ବ୍ରହ୍ମପୁର: ଦୁଇ ବସ୍ ମୁହାଁମୁହିଁ ଧକ୍କା। ବ୍ରହ୍ମପୁର ଠାରୁ ୨୬ କିଲୋମିଟର ଦୂର ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ରବିବାର ମଧ୍ୟରାତ୍ରରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୧୨ ଜଣ ପ୍ରାଣ ହରାଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।
ରବିବାର ରାତିରେ ବ୍ରହ୍ମପୁରର ବ୍ରହ୍ମାନଗରରେ ହେଉଥିବା ବାହାଘର ଉତ୍ସବରେ ଯୋଗଦେବା ପାଇଁ ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରୁ କନ୍ୟାଯାତ୍ରୀ ଦଳ ଆସିଥିଲେ । ବାହାଘର ସ୍ଥାନରେ କନ୍ୟାକୁ ଛାଡ଼ିବା ପରେ ଭୋଜି ଖାଇ ଏକ ମିନି ବସ୍ (ଓଆର୍ ୧୦ଏ ୬୮୭୫) ରେ ପ୍ରାୟ ୩୦ କନ୍ୟା ଯାତ୍ରୀ ନିଜ ଗ୍ରାମକୁ ଫେରୁଥିଲେ । ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଖେମୁଣ୍ଡି କଲେଜ ଛକ ପାର ହୋଇ ମଳାଭଞ୍ଜା ନିକଟରେ ମିନିବସ୍ଟି ପହଞ୍ଚିଥିଲା । ଆଉ ମାତ୍ର ୪ କିଲୋମିଟର ଯାଇଥିଲେ ସେମାନେ ତାଙ୍କ ଗାଁରେ ପହଞ୍ଚିଯାଇଥାନ୍ତେ । ଏହି ସମୟରେ ବିପରୀତ ଦିଗରୁ ଗୁଡ଼ାରିରୁ ବ୍ରହ୍ମପୁର ଆସୁଥିବା ଓଏସ୍ଆର୍ଟିସିର ଏକ ବସ୍ (ଓଡି୦୨ବିୱାଇ-୧୯୩୮)ଦ୍ରୁତଗତିରେ ମିନିବସ୍କୁ ଧକ୍କା ଦେଇଥିଲା । ମୁହାଁମୁହିଁ ଧକ୍କା ଯୋଗୁ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁଇଟି ଯାକ ବସ୍ର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇ ଚାପି ହୋଇଯାଇଥିଲା । ମଧ୍ୟରାତ୍ରର ଅନ୍ଧାରରେ ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇଥିଲା । ସ୍ଥାନୀୟ ଲୋକେ ପୁଲିସ୍ ଓ ଦିଗପହଣ୍ଡି ଅଗ୍ନିଶମ ବିଭାଗର ଆଗ୍ନିକମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତ୍ୱରିତ ଉଦ୍ଧାର କାର୍ୟ୍ୟ ଚଳାଇଥିଲେ । କେତେକ ମୃତାହତଙ୍କୁ ଦିଗପହଣ୍ଡି ଡ଼ାକ୍ତରଖାନାରେ ରଖାଯାଇଥିବା ବେଳେ ଅନ୍ୟମାନଙ୍କୁ ବ୍ରହ୍ମପୁରର ଏମ୍କେସିଜି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମୃତାହତଙ୍କ ମଧ୍ୟରେ କେତେକ ମହିଳା ଓ ଛୋଟପିଲା ମଧ୍ୟ ଅଛନ୍ତି । ଚିହ୍ନଟ ହୋଇଥିବା ମୃତକଙ୍କ ମଧ୍ୟରେ ଶିବାନୀ ପ୍ରଧାନ, ତାଙ୍କର ବର୍ଷକର ପୁଅ ରୂପାଲି, ସୁଜ୍ଞାନୀ, ସଂଗୀତା ଡ଼ାକୁଆ, ସଂଜୟ ପ୍ରଧାନ, ସୀତାରାମ ପ୍ରଧାନ, ରମେଶ ପ୍ରଧାନ, ତିରୁପତି ପ୍ରଧାନ ଥିବା ଜଣାପଡ଼ିଛି ।
Powered by Froala Editor