ଅପରାହ୍ନରେ ଆଡ଼ପ ଆଡ଼ପ ମଣ୍ଡପରେ ବିଜେ ହେବେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ: ଶରଧାବାଲିରେ ପହଞ୍ଚିଛି ତିନି ରଥ । ଗୁରୁବାର ଅପରାହ୍ନରେ ଶ୍ରୀଜିଉମାନେ ପହଣ୍ଡି ହୋଇ ଆଡ଼ପ ମଣ୍ଡପରେ ବିଜେ ହେବେ। ଶୁକ୍ରବାର ଶ୍ରଦ୍ଧାଳୁଙ୍କ ପାଇଁ ଆଡ଼ପ ଅବଢ଼ା ମିଳିବ ବୋଲି ଜଣାପଡ଼ିଛି ।ରଥଯାତ୍ରା ସନ୍ଧ୍ୟାରେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶ୍ରୀଗୁଣ୍ଡିଚାମନ୍ଦିର ସମ୍ମୁଖରେ ଲାଗିଥିଲା । ବାଟରେ ଅଟକିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭଉଣୀ ସୁଭଦ୍ରା । ବୁଧବାର ସକାଳୁ ସୁରକ୍ଷା କର୍ମୀ ଓ ଶ୍ରଦ୍ଧାଳୁମାନେ ଦେବଦଳନ ଓ ନନ୍ଦିଘୋଷ ରଥକୁ ଟାଣି ନେଇ ପ୍ରାୟ ସାଢେ ୧୦ ସୁଦ୍ଧା ଗୁଣ୍ଡିଚାଘର ସମ୍ମୁଖରେ ପହଞ୍ଚାଇଥିଲେ ।ତେବେ ରଥଯାତ୍ରା କଟକଣା ଯୋଗୁ ଠାକୁରଙ୍କ ନୀତିରେ ବିଳମ୍ବ ହୋଇଥିଲା । ସୁରକ୍ଷା କର୍ମୀ ପାଳିଆ ସେବାୟତଙ୍କୁ ରଥ ନିକଟକୁ ଛାଡ଼ି ନ ଥିଲେ । ଏପରିକି ଜେଟିପି କହିଲେ ମଧ୍ୟ ସୁରକ୍ଷା କର୍ମୀ ସେବକଙ୍କୁ ଛାଡ଼ି ନଥିଲେ । ଫଳରେ ଶ୍ରୀଜିଉମାନେ ପ୍ରାୟ ୪ଘଣ୍ଟା ଧରି ଉପାସ ରହିଥିଲେ । ପୂର୍ବାହ୍ନ ୧୦ଟା୩୫ ସୁଦ୍ଧା ରଥତ୍ରୟ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ସାରିଥିଲେ । ମାତ୍ର ୧୧ଟାରୁ ସେବକମାନେ ରଥକୁ ଯିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ରଥରେ ଗୋପାଳବଲ୍ଲଭ ଭୋଗ ଆରମ୍ଭ ବେଳକୁ ଅପରାହ୍ନ ୩ଟା୦୫ ମିନିଟ୍ ହୋଇଥିଲା । ଏସ୍ପିଙ୍କ ହସ୍ତକ୍ଷେପ ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା । ଗୁରୁବାର ଅପରାହ୍ନରେ ଶ୍ରୀଜିଉମାନେ ପହଣ୍ଡି ହୋଇ ଆଡ଼ପ ମଣ୍ଡପରେ ବିଜେ ହେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଶୁକ୍ରବାର ଶ୍ରଦ୍ଧାଳୁଙ୍କ ପାଇଁ ଆଡ଼ପ ଅବଢ଼ା ମିଳିବ ବୋଲି ଜଣାପଡ଼ିଛି ।
ଦୁଇ ଦିନ ଧରି ରଥଟଣା ହୋଇଥିବାରୁ ଅନେକ ଭକ୍ତ ରଥାରୁଢ ଦାରୁଦିଅଁଙ୍କ ଦର୍ଶନର ସୌଭାଗ୍ୟ ଅର୍ଜନ କରିଥିଲେ । କାଳିଆ ସାଆନ୍ତ ତାଙ୍କ ପାଖରେ ରହିଥିବାରୁ ଭକ୍ତିରେ ବିଭୋର ହେଉଥିଲେ ଶ୍ରଦ୍ଧାଳୁ ଗଣ । ଦୂରଦୁରାନ୍ତରୁ ଆସିଥିବା ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ଶୋଇ ରହିଥିଲେ । ଭାବ ବିନୋଦିଆ ଠାକୁରଙ୍କୁ ଛାଡ଼ି ଯିବା ଯେମିତି ଭକ୍ତଙ୍କର ଇଚ୍ଛା ନଥିଲା । ବୁଧବାର ଗୁଣ୍ଡିଚାଘର ସିଂହଦ୍ୱାରେ ତିନି ରଥ ପହଞ୍ଚିବା ପରେ ସେଠାରେ ଲାଗିଛି ଭିଡ଼ । ଭକ୍ତମାନେ ଦୂରରେ ରହି ଠାକୁରଙ୍କ ଦର୍ଶନ କରିଥିଲେ । ସଂକୀର୍ତ୍ତନ ମଣ୍ଡଳୀମାନଙ୍କର ଭଜନ ଧ୍ୱନୀରେ ଫାଟି ପଡୁଥିଲା ଶରଧାବାଲି । ସୁରକ୍ଷାଦୃଷ୍ଟିରୁ ପୁଲିସକର୍ମୀମାନେ ରଥ ଚାରିପଟେ ୨ ଥାକିଆ କର୍ଡନ କରିଥିଲେ । ତେବେ ରଥକୁ ଛୁଇଁବାକୁ କଟକଣା ଥିବାରୁ ଅନେକ ଭକ୍ତ ନିଜର ଅସନ୍ତୋଷ ବ୍ୟକ୍ତ କରୁଥିଲେ । ଲକ୍ଷାଧିକ ଭକ୍ତ ତଳେ ଥାଇ ଠାକୁରଙ୍କ ଶୃଙ୍ଖଳିତ ଦର୍ଶନ କରିଥିଲେ ।
Powered by Froala Editor