ପୁଣି ବିବାଦରେ ମନୋଜ, କହିଲେ ହନୁମାନଜୀ ଭଗବାନ ନୁହନ୍ତି

ଫିଲ୍ମ 'ଆଦିପୁରୁଷ'କୁ ନେଇ ଖୁବ ଚର୍ଚ୍ଚା ହେଉଛି। ଏହି ଚଳଚ୍ଚିତ୍ରରେ 'ରାମାୟଣ'ର ଚରିତ୍ର ସବୁକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ନେଇ ଏବଂ ଫିଲ୍ମର ସଂଳାପକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି ସମୟରେ ସମସ୍ତଙ୍କ ଟାର୍ଗେଟକୁ ଆସିଛନ୍ତି ଫିଲ୍ମର ଲେଖକ ମନୋଜ ମୁନ୍ତାଶିର।
ବିଭିନ୍ନ ଚରିତ୍ର ପାଇଁ ଲେଖିଥିବା ଡାଏଲଗକୁ ନେଇ ବିବାଦ ଚାଲିଥିବା ବେଳେ ମନୋଜଙ୍କ ଆଉ ଏକ ବୟାନ ସାମ୍ନାକୁ ଆସିଛି। ସେ ବଜରଙ୍ଗବାଲୀ ବା ଭଗବାନ ହନୁମାନଙ୍କୁ ଅପମାନିତ କରିଛନ୍ତି। ବଜରଙ୍ଗବାଲୀ ଭଗବାନ ନୁହନ୍ତି ବୋଲି ମନୋଜ କହିବା ପରେ ବିବାଦ ଦେଖାଦେଇଛି।
ଗୋଟିଏ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ସେ ଆଦିପୁରୁଷରେ ଲେଖିଥିବା ଡାଏଲଗର ଓକିଲାତି କରିଥିଲେ। ଏହି ସମୟରେ ସେ ବଜରଙ୍ଗବାଲୀ ଭଗବାନ ନୁହନ୍ତି ବୋଲି କହିଛନ୍ତି। ସେ କହିଛନ୍ତି, “ବଜରଙ୍ଗବାଲୀ ଭଗବାନ ନୁହନ୍ତି। ସେ ଜଣେ ଭକ୍ତ। ଆମେ ତାଙ୍କୁ ଭଗବାନ ବନାଇଛୁ। କାରଣ ତାଙ୍କ ଭକ୍ତିରେ ସେମିତି କିଛି ଶକ୍ତି ଥିଲା। ସେ ଭଗବାନ ରାମଙ୍କ ପରମଭକ୍ତ ଥିଲେ।” ବାସ୍ ତାଙ୍କର ଏହି ବୟାନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଅନ୍ୟପକ୍ଷରେ ବିବାଦ ମଧ୍ୟରେ ସୋମବାର ଫିଲ୍ମର ଆୟ କମିଥିବା ଦେଖିବାକୁ ମିଳିଛି। ପ୍ରଥମ ୩ଦିନରେ ଫିଲ୍ମଟି ୫୦କୋଟିରୁ ଅଧିକ ଟଙ୍କା ଆୟ କରିଥିବା ବେଳେ ଚତୁର୍ଥ ଦିନରେ ଅର୍ଥାତ୍ ସୋମବାର ଫିଲ୍ମଟି ମାତ୍ର ୮.୫କୋଟି ଟଙ୍କା ଆୟ କରିଛି।
Powered by Froala Editor