ବାହାନଗା ଟ୍ରାଜେଡ଼ି, ସିବିଆଇ ଖୋଲିଲା ସିଗନାଲ ଜେଇଙ୍କ ଭଡା ଘର ସିଲ୍
ସୋର : ବାହାନଗା ଟ୍ରେନ ଟ୍ରାଜେଡ଼ି ଘଟଣା । ଅମୀର ଖାନଙ୍କ ସୋର କମରପୁର ଭଡା ଘର ସିଲ୍ ଖୋଲିଲା ସିବିଆଇ । ସିଗନାଲ ଜେଇ ଇନ୍ ଚାର୍ଜ ଥିଲେ ଅମୀର ଖାନ । ଅମୀର ଖାନଙ୍କ ଉପସ୍ଥିତରେ ସିଲ ଘରକୁ ଖୋଲିଲା ସିବିଆଇ। ଘର ଭିତରେ ବିଭିନ୍ନ ଜିନିଷ ଉପରେ ଛାନଭିନ ଜାରି । ଗତ ଆଠ ଦିନ ହେଲା ଅମୀର ଖାନ ଓ ତାଙ୍କ ସ୍ତ୍ରୀ ଗୁଡିଆ ଭଡ଼ା ଘରୁ ପଳାଇଥିଲା ।
ସୂଚନା ଥାଉକି, ସୋରରେ ଥିବା ରେଳ ସିଗ୍ନାଲ୍ ଇନଚାର୍ଜଙ୍କ ଘରକୁ ସିଲ୍ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) । ସିଗ୍ନାଲ୍ ମ୍ୟାନ ଅମିର ଖାନଙ୍କ କମରପୁର ସ୍ଥିତ ଭଡା ଘରକୁ ସିବିଆଇ ସିଲ୍ କରିଥିଲା ଟିମ୍ । ରେଳ ଦୁର୍ଘଟଣା ପରଠୁ ପରିବାର ସହ ଅନୁପସ୍ଥିତ ରହୁଥିଲେ ସିଗନାଲ ମ୍ୟାନ୍ । ଏହା ପୂର୍ବରୁ ସିବିଆଇ ବାହାନଗା ବଜାର ଷ୍ଟେସନର କର୍ମଚାରୀଙ୍କୁ ନିଜ ହେପାଜତରେ ରଖି ଜେରା କରୁଛି ।
ରେଳ ମନ୍ତ୍ରୀଙ୍କ ସୁପାରିସ୍ କ୍ରମେ ସିବିଆଇ ଏହି ଭୟାନକ ଟ୍ରେନ ଦୁର୍ଘଟଣାର ତଦନ୍ତ କରୁଛି । ଦଳ ବାଲେଶ୍ଵରରେ ଡେରା ପକାଇଛନ୍ତି ଏବଂ ବାହାନଗା ଷ୍ଟେସନକୁ ବାରମ୍ବାର ଗସ୍ତ କରୁଛନ୍ତି। ଏହି କ୍ରମରେ ବାହାନଗା ଷ୍ଟେସନର ଏଏସଏମ ସମେତ ୫ ଅଭିଯୁକ୍ତକୁ ନିଜ ହେପାଜତକୁ ନେଇ ତଦନ୍ତ ଚଳାଇଛି ସିବିଆଇ । ଏଥିରେ ୪ ଜଣ ସିଗନାଲ୍ ବିଭାଗର କର୍ମଚାରୀ ଅଛନ୍ତି ।
ସିବିଆଇର ଏକ ୪ ଜଣିଆ ଟିମ୍ ଦୁର୍ଘଟଣା ସମୟରେ କ୍ଷତିଗ୍ରସ୍ତ ଟ୍ରାକର ସ୍କାନିଂ କରି ସାରିଛନ୍ତି। ଏହା ପୂର୍ବରୁ ସିବିଆଇର ୨ଜଣିଆ ଟିମ୍ ଦୁର୍ଘଟଣାସ୍ଥଳ ବୁଲି ଦେଖିଥିଲେ । ପରେ ବିଭିନ୍ନ ସ୍ଥାନରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ । ରିଲେ ରୁମ୍କୁ ଯାଇ ସେଠାରେ ମଧ୍ୟ ତନାଘନା କରିଥିଲେ । ଷ୍ଟେସନରେ ଥିବା ବିଭିନ୍ନ କମ୍ପ୍ୟୁଟରର ହାର୍ଡ ଡିକ୍ସ ଜବତ କରିଥିଲେ । ଏହାବ୍ୟତୀତ ସେଠାରେ ରେକର୍ଡ ହୋଇଥିବା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ । ପରେ ବାହାନଗା ବଜାର ଷ୍ଟେସନ ଭିତରେ ଥିବା ପ୍ରାଇଭେଟ ନମ୍ବର ଏକ୍ସଚେଞ୍ଜ ବୁକ୍ ଯାଞ୍ଚ କରିଥିଲେ । ଏହି ସମୟ ଭିତରେ ଏହି ଟିମ୍ ରିଲେ ରୁମ୍, ପ୍ୟାନେଲ ରୁମ୍, ଡାଟା ଲକର ସିଲ୍ କରିଥିଲେ ।
Powered by Froala Editor