ସଡ଼କ ଦୁର୍ଘଟଣା: ୫ ମୃତ
ବଲାଙ୍ଗିର: ଛାତିଥରା ସଡ଼କ ଦୁର୍ଘଟଣା । ଟ୍ରକ୍ ପଛପଟୁ କାର୍ଟି ପିଟି ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ମା’ ଆଖି ଆଗରେ ଦୁଇ ପୁଅ ଝିଅଙ୍କ ଜୀବନ ଚାଲିଯାଇଥିବା ବେଳେ ଭାଇ ସହ ଦୁଇ କୁନି ଶିଶୁ ମଧ୍ୟ ପ୍ରାଣ ହରାଇଛନ୍ତି । ଗାଡ଼ିରେ ୭ ଜଣ ଆସୁଥିବା ବେଳେ ଏଥିମଧ୍ୟରୁ ଅନ୍ୟ ଦୁଇ ଜଣ ଗୁରୁତର ଥିବା ଜଣାପଡ଼ିଛି । ବାହାଘରରୁ ଫେରିବା ବାଟରେ ଏଭଳି ଦୁର୍ଘଟଣା ଘଟିଛି ।ଏଭଳି ଏକ ଛାତିଥରା ଦୁର୍ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ । ଗତକାଲି ବଲାଙ୍ଗୀର ଜଗନ୍ନାଥ ପଡ଼ାର ଡାକ୍ତର ଜୟନ୍ତ ନାଏକଙ୍କ ସ୍ତ୍ରୀ, ପୁଅ, ତାଙ୍କ ବିବାହିତ ଝିଅ, ନାତୁଣୀ, ଶାଳକ ଓ ତାଙ୍କ ସ୍ତ୍ରୀ ଏବଂ ଝିଅ ଫେରୁଥିଲେ । ବଲାଙ୍ଗୀର ସହର ପ୍ରବେଶ କରୁଥିବା ଛୁଇବନ୍ଧ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛପଟରୁ ଧକ୍କା ଦେଇଥିଲା ମାରୁତି ସୁଇପ୍ଟ ଡିଯାୟାର୍ କାର୍ । ଏତେ ଜୋର୍ରେ ଧକ୍କା ଦେବା ଫଳରେ ଭିତରେ ବସିଥିବା ଲୋକ ବାହାରେ ଛିଟିକି ପଡ଼ିବା ସହ କିଛି ଭିତରେ ଫସି ରହିଥିଲେ । କାରଟିର ଛାତ ମଧ୍ୟ ଉପୁଡ଼ି ପଡ଼ିଥିଲା ।
ସ୍ଥାନୀୟ ଲୋକ ଗାଡ଼ି ଭିତରେ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ପରେ ଭିମଭୋଇ ମେଡିକାଲକୁ ଆଣିଥିଲେ ହେଲେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା । ମୃତକମାନେ ହେଲେ ଡାକ୍ତର ଜୟନ୍ତ ନାଏକଙ୍କ ପୁଅ ଆତ୍ମଜ ନାଏକ, ତାଙ୍କ ବିବାହିତ ଝିଅ ଇସ୍ପିତା ନାଏକ ଓ ଇସ୍ପିତାଙ୍କ ୪ ବର୍ଷର ଝିଅ ରିଆ , ଡାକ୍ତରଙ୍କ ଶଳା ଦିପ୍ତୀରଞ୍ଜନ ସାଏ ଓ ତାଙ୍କଙ୍କ ୫ ବର୍ଷର ଝିଅ ଶ୍ରୀନିକା । ଅନ୍ୟ ଦୁଇ ଜଣ ଡାକ୍ତରଙ୍କ ସ୍ତ୍ରୀ ଆରତୀ ନାଏକ ଓ ତାଙ୍କ ଶଳାଙ୍କ ସ୍ତ୍ରୀ ରଶ୍ମିତା ସାଏଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।
Powered by Froala Editor