ଡ୍ରାଇଭରମାନଙ୍କ ପାଇଁ ରଜ ଭେଟି ଦେଲେ ନବୀନ
ଭୁବନେଶ୍ବର : ରାଜ୍ୟର ଡ୍ରାଇଭରମାନଙ୍କ ପାଇଁ ରଜ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁ ଦାବି ନେଇ ଡ୍ରାଇଭରମାନେ ଆନ୍ଦୋଳନ କରୁଥିଲେ, ତାହାକୁ ସରକାର ପୂରଣ କରିଛନ୍ତି।ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନା ୨୦୨୩ ଏବଂ କଲ୍ୟାଣ ବୋର୍ଡ ଗଠନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି। ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ମୋଟର ଯାନ ଡ୍ରାଇଭର, କର୍ମଚାରୀଙ୍କ ନିକଟତମ ଆତ୍ମୀୟ ପାଇବେ ୪ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନାକୁ କାର୍ୟ୍ୟକାରୀ କରିବା ପାଇଁ ଗଠନ ହେବାକୁ ଥିବା କଲ୍ୟାଣ ବୋର୍ଡ ପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ବୀକୃତି ପ୍ରଦାନ କରିଛନ୍ତି। ମୋଟର ଯାନ ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି କଲ୍ୟାଣ ଯୋଜନା କାର୍ୟ୍ୟକାରୀ କରାଯାଉଛି। ଏହି ଯୋଜନା କାର୍ୟ୍ୟକାରୀ କରିବାପାଇଁ ରାଜ୍ୟ ସରକାରଙ୍କ ତରଫରୁ ବୋର୍ଡକୁ ପ୍ରାରମ୍ଭିକ ଭାବେ ଅନୁଦାନ ପ୍ରଦାନ କରାଯିବ। ପରବର୍ତ୍ତୀ ସମୟରେ, ବୋର୍ଡ, ପଞ୍ଜୀକରଣ ଶୁଳ୍କ ସଂଗ୍ରହ, ଯାନ ମାଲିକଙ୍କ ଅବଦାନ ଏବଂ ଅନ୍ୟାନ୍ୟ ଉତ୍ସରୁ ପାଣ୍ଠି ସଂଗ୍ରହ କରି ଏହି ଯୋଜନାକୁ ପରିଚାଳନା କରିବେ ।
ମୃତ୍ୟୁ କ୍ଷେତ୍ରରେ, ମୃତ ଡ୍ରାଇଭର/ କର୍ମଚାରୀଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା (୪,୦୦,୦୦୦/-) ପ୍ରଦାନ କରାଯିବ ।
ଅତି ଗଭୀର ଆଘାତ କ୍ଷେତ୍ରରେ ୮୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ ।
ସ୍ଥାୟୀ ଅକ୍ଷମତା ମାମଲାରେ ମୋଟର ପରିବହନ ଡ୍ରାଇଭର କିମ୍ବା କର୍ମଚାରୀଙ୍କୁ ୧ଲକ୍ଷ ପଚାଶ ହଜାର ଟଙ୍କା (୧,୫୦,୦୦୦/ -) ପ୍ରଦାନ କରାଯିବ ।
ସାଧାରଣ ମୃତ୍ୟୁ ମାମଲାରେ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା (୨,୦୦,୦୦୦/-) ପ୍ରଦାନ କରାଯିବ ।
ଏହା ବ୍ୟତୀତ, ସେମାନଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁ ବାବୁ ପେନସନ୍ ଯୋଜନା ଆଦିରେ ସେମାନଙ୍କ ଯୋଗ୍ୟତା ଅନୁଯାୟୀ ଅନ୍ତର୍ଭୁକ୍ତ କରାଯିବ । ଏହି ଯୋଜନା କାର୍ୟ୍ୟକାରୀ ହେବାଦ୍ବାରା ୫ ଲକ୍ଷରୁ ଉର୍ଦ୍ଧ୍ୱ ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ ଉପକୃତ ହେବେ । ଏଥି ନିମନ୍ତେ ଗଠିତ ହେବାକୁ ଥିବା କଲ୍ୟାଣ ବୋର୍ଡରେ ସରକାରୀ ସଦସ୍ୟଙ୍କ ସହିତ ମୋଟର ପରିବହନ ଡ୍ରାଇଭର, କର୍ମଚାରୀ ମାନଙ୍କର ପ୍ରତିନିଧି ମଧ୍ୟ ସଦସ୍ୟ ରହିବେ ।
Powered by Froala Editor