ଗାଁ ଆମ୍ବ ପସରା, ରାଜଧାନୀରେ ବଢ଼ୁଛି ଚାହିଦା
ଭୁବନେଶ୍ବର: ରାଜଧାନୀରେ ବଢ଼ୁଛି ଗାଁ ଆମ୍ବର ଚାହିଦା। ୩ ଦିନ ମଧ୍ୟରେ ଆଖୁରସ ଏବଂ ହିମସାଗର ଆମ୍ବ ସରିଗଲାଣି। ସମ୍ବଲପୁର, ମୟୂରଭଞ୍ଜ, ଅନୁଗୁଳ, ବଲାଙ୍ଗୀର, କୋରାପୁଟ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରୁ ଆସିଥିବା ଆମ୍ରପଲ୍ଲି, ଦୁସୁରୀ, ଲେଙ୍ଗଡ଼ା, ବାଗନାପଲ୍ଲୀ, ସୁନ୍ଦରୀ ଏବଂ ମଲ୍ଲିକାର ବିକ୍ରି ମଧ୍ୟ ବଢ଼ି ଚାଲିଥିବା ନେଇ ସୂଚନା ଦେଇଛନ୍ତି ଓରମାସର ମାର୍କେଟିଂ ଅଧିକାରୀ ସୁଜୋୟ ଦାସ। ଓଡ଼ିଶାରେ ଉତ୍ପାଦିତ ରାସାୟନିକ ମୁକ୍ତ ଆମ୍ବ ରାଜଧାନୀବାସୀଙ୍କୁ ମିଳୁ, ଏହି ଲକ୍ଷ୍ୟ ନେଇ ୪ ବର୍ଷ ହେଲା ଓରମାସ ପକ୍ଷରୁ ରାଜଧାନୀରେ ଦେଶୀ ଆମ୍ବ ବିକ୍ରି କରାଯାଉଛି। ଚଳିତ ବର୍ଷ ମିସନ ଶକ୍ତି ସହାୟତାରେ ୟୁନିଟ୍-୮ସ୍ଥିତ ଏସଆଇଆର୍ଡି କ୍ୟାମ୍ପସ ନିକଟରେ ଗତ ୮ ତାରିଖରେ ଗାଁ ଆମ୍ବ ପସରା ବଜାର ଖୋଲା ଯାଇଛି।
ଏହା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ପ୍ରଥମ ଦିନରେ ସାଢ଼େ ୩ ଲକ୍ଷ ଟଙ୍କାର ବିକ୍ରି ହୋଇଥିଲା। ୭ ଜିଲ୍ଲାର ଚାଷୀମାନେ ପ୍ରାୟ ୬ ଟନ୍ ଆମ୍ବ ଆଣି ଗ୍ରାହକଙ୍କୁ ବିକ୍ରି କରିଛନ୍ତି। ସ୍ବିଗି ସମେତ ଅନ୍ଲାଇନରେ ମଧ୍ୟ ଆମ୍ବ ବିକ୍ରି ହେଉଛି। ଲୋକଙ୍କ ଘର ଦୁଆରେ ଆମ୍ବ ପହଞ୍ଚାଇବା ପାଇଁ ଗାଡ଼ିରେ ମଧ୍ୟ ବିକ୍ରି କରାଯାଉଛି। ମଦର ସମବାୟ ସମିତି ଜରିଆରେ ମଧ୍ୟ ସିଧାସଳଖ ଲୋକଙ୍କୁ ବିକ୍ରି କରାଯାଉଛି। ଶ୍ରୀ ଦାସଙ୍କ କହିବା ଅନୁସାରେ, ଆମ୍ବ ପସରା ବଜାରର ଏହି ଆମ୍ବରେ ରସାୟନ ପକାଯାଉ ନାହିଁ। ତେଣୁ କଞ୍ଚାରେ ମଧ୍ୟ ଗ୍ରାହକ ଏହାକୁ ନେଇ ଯାଉଛନ୍ତି। ଏହି ଅବସରରେ ଓରମାସ ପକ୍ଷରୁ ଓଡ଼ିଶା ମ୍ୟାଙ୍ଗୋର ଲୋଗୋ ଲଞ୍ଚ୍ କରାଯାଇଛି। ହିମସାଗର ଏବଂ ଆଖୁରସର ମୂଲ୍ୟ ୧୦୦ ଟଙ୍କା ଏବଂ ଅନ୍ୟ ସମସ୍ତ ଆମ୍ବର ମୂଲ୍ୟ ୫୦ ଟଙ୍କାରେ ରହିଛି।
Powered by Froala Editor