ବାହାନଗା ରେଳ ଦୁର୍ଘଟଣା : ଦଶାହ ପାଳି ମୁଣ୍ଡନ ହେଲେ ସ୍ଥାନୀୟ ଲୋକ
ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିବାର ଆଜି ହେଉଛି ଦଶ ଦିନ। ହିନ୍ଦୁ ଧର୍ମ ଅନୁସାରେ ଆଜି ବାହାନଗା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ପଡ଼ିଆାରେ ଦଶାହ କର୍ମ ଅନୁଷ୍ଠିତ ହେଉଛି। ଇତିମଧ୍ୟରେ ଶତାଧିକ ସ୍ଥାନୀୟ ଲୋକ ମୁଣ୍ଡନ ହୋଇଛନ୍ତି। ପରେ ଏକାଦଶାହ କର୍ମ ଓ ପ୍ରୀତିଭୋଜନର ବ୍ୟବସ୍ଥା କରାଯିବା ସହିତ ଆସନ୍ତାକାଲିଠାରୁ ତିନିଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ଠିକ୍ ସେହିପରି ସେଠାରେସର୍ବଧର୍ମ ପ୍ରାର୍ଥନା ସଭାର ମଧ୍ୟ ଆୟୋଜିତ ହେଉଛି। ୧୨ ତାରିଖ ସୋମବାର ସକାଳ ୫ ଟାରେ ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟ ପ୍ରହର ନାମଯଜ୍ଞ, ୯ଟାରେ ଅଖଣ୍ଡ ଗାୟତ୍ରୀ ଯଜ୍ଞ, ୧୦ ଟାରେ ସର୍ବଧର୍ମ ପାର୍ଥନା ସଭା, ଶ୍ରଦ୍ଧାଞ୍ଜଳି, ସାମୂହିକ ବେଦପାଠ ଓ ଦୀପଦାନ ଆଦି କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରସାଦସେବନ ଲାଗି ବ୍ୟବସ୍ଥା ହୋଇଛି।
ସେହିପରି ୧୩ ତାରିଖ ମଙ୍ଗଳବାର ଦିନ ସକାଳ ୫ଟାରେ ଶୋଭାଯାତ୍ରା, ୬ଟାରେ ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ,୧୧ ଟାରେ ସାମୂହିକ ପ୍ରସାଦସେବନ ଲାଗି ବ୍ୟବସ୍ଥା ରହିଥିବା ବେଳେ ଅପରାହ୍ଣ ୩ ଟାରେ ବିଷ୍ଣୁପୁର ଋତୁମ୍ଭରା ଆନ୍ତର୍ଜାତିକ ସଂଘ ତରଫରୁ ୫୦୦୮ ଦୀପଦାନ ଏବଂ ଅମୃତଧାରା ସତ୍ସଙ୍ଗ ସମାରୋହ ପାଳିତ ହେବ ବୋଲି ସଂଗଠନର ଆବାହକ ଶରତ କୁମାର ରାଜ ଓ ନୀଳାମ୍ବର ମହାଳିକ ସୂଚନା ଦେଇଛନ୍ତି। ବାହାନଗା ରେଳ ଦୁର୍ଘଟଣାରେ ଜୀବନ ହାରିଥିବା ଯାତ୍ରୀଙ୍କ ଆତ୍ମାର ଶାନ୍ତି ଓ ସଦଗତି ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ସ୍ଥାନୀୟ ଲୋକେ ଓ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତ୍ତା ମିଳିତ ଭାବେ ୩ ଦିନିଆ ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏଥିଲାଗି ଲୋକେ ସ୍ବତଃପ୍ରବୃତ୍ତ ଭାବେ ଆଗେଇ ଆସିଥିବା ଜଣାଯାଇଛି। ଏଭଳି ଆୟୋଜନ ଏକ ବିରଳ ଘଟଣା ବୋଲି ଚର୍ଚ୍ଚା ହେଉଛି।
Powered by Froala Editor