ଖରା ସାଙ୍ଗକୁ ତତଲା ପବନ କରୁଛି ଛଟପଟ
ଭୁବନେଶ୍ବର: ଆଜି ବି ସାରା ରାଜ୍ୟରେ ଅସହ୍ୟ ଖରା ଅନୁଭୂତ ହେଉଛି। ସକାଳ ୮ଟା ପର ଠାରୁ ଅପରାହ୍ଣ ୩ଟା ଯାଏଁ ବାହାରକୁ ଯିବା ଅସହ୍ୟ ହେଉଛି। ପ୍ରବଳ ଖରା ସାଙ୍ଗକୁ ତତଲା ପବନ ଲୋକଙ୍କୁ ଛଟପଟ କରୁଛି। ଅତି ଜରୁରୀ କାମ ନଥିଲେ ଲୋକେ ବାହାରକୁ ଯାଉନାହାନ୍ତି। ଆଜି ପୁଣି ପଶ୍ଚିମ ଓଡ଼ିଶାର ତାତି ସୀମା ଲଂଘିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସାଢେ ୧୧ଟା ସୁଦ୍ଧା ଝାରୁସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୧.୮ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି କେନ୍ଦୁଝରରେ ୩୯.୨ ଡିଗ୍ରି, ଭୁବନେଶ୍ୱରରେ ୩୮.୨ ଡିଗ୍ରି, ସମ୍ବଲପୁରରେ ୩୭.୬ ଡିଗ୍ରି, ବାଲେଶ୍ୱରରେ ୩୭.୨ ଡିଗ୍ରି, ଚାନ୍ଦବାଲିରେ ୩୭ ଡିଗ୍ରି, ହୀରାକୁଦରେ ୩୬.୪ ଡିଗ୍ରି, ପୁରୀରେ ୩୬ ଡିଗ୍ରି, ଗୋପାଳପୁରରେ ୩୫.୪ ଡିଗ୍ରି ଓ ପାରାଦୀପରେ ୩୪ ଡିଗ୍ରି ରେକର୍ଡ କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ଯାଏ ଅଧିକ ରହିବ। ଫଳରେ ରାଜ୍ୟରେ ଅସ୍ବାସ୍ଥ୍ୟକର ପାଣିପାଗ ଲାଗି ରହିବ।
Powered by Froala Editor