୧୫ ପରେ ଓଡ଼ିଶା ଛୁଇଁବ ମୌସୁମୀ
ଭୁବନେଶ୍ୱର: ଜୁନ୍ ୧୫ ପରେ ଓଡ଼ିଶା ଛୁଇଁବ ମୌସୁମୀ । ପୂର୍ବାନୁମାନ ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ମୁଖ୍ୟ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ଭୟଙ୍କର ଗୁଳୁଗୁଳିରେ ଛଟପଟ ଓଡ଼ିଶାବାସୀଙ୍କୁ ଏ ବାଣୀ ଆଶ୍ୱସ୍ତିର ଆଶା ଦେଖାଇବା ସ୍ୱଭାବିକ । ଏକଥା ସତ ହେଲେ ଓଡ଼ିଶା ବଞ୍ଚିଯିବ, କିନ୍ତୁ ସେ ଯାଏ ତ୍ରାହି ନାହିଁ । ପୂର୍ବାନୁମାନ କହୁଛି, ଯେମିତି ଜାଳୁଛି, ସେମିତି ଚାଲିବ ।
ରାତିରେ ବି ସ୍ଥିତି ସୁଧୁରୁ ନାହିଁ । ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୯ ଡିଗ୍ରୀରୁ ଅଧକ ରହୁଛି । ଘର ଭିତରେ ୩୨ରୁ ୩୫ ଡିଗ୍ରୀ ସେଲ୍ସିୟସ । ପୃଥିବୀ ଥଣ୍ଡା ହେବା ପୂର୍ବରୁ ପୁଣି ଅଗ୍ନିବୃଷ୍ଟି । ପୂର୍ବାନୁମାନ କହୁଛି ୧୫ ତାରିଖ ଯାଏ ବଦଳିବ ନାହିଁ ଅଗ୍ନିବୃଷ୍ଟି ଆଉ ଗୁଳୁଗୁଳି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୧ରୁ ୪୪ ଡିଗ୍ରୀ ରହିବ । ଆସନ୍ତା ୪ ଦିନ ରାଜ୍ୟରେ ଗ୍ରୀଷ୍ମଲହରୀ ସ୍ଥିତି ରହିବ । ଉପକୂଳ ଓଡ଼ିଶାରେ ସାମାନ୍ୟ ବଢ଼ିବ ତାପମାତ୍ରା । ଗୁଳଗୁଳି ଅଥୟ କରିବ ।
ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ମୌସୁମୀ ୭ ଦିନ ବିଳମ୍ବରେ କେରଳରେ ପହଞ୍ଚିଛି । କର୍ଣ୍ଣାଟକ ଓ ତାମିଲନାଡୁକୁ ବି ମୌସୁମୀ ଛୁଇଁଛି । ଉତ୍ତର ପୂର୍ବ ଭାରତର ଅଧିକାଂଶ ଅଞ୍ଚଳକୁ ଏହା ଛୁଇଁସାରିଛି । ଆସନ୍ତା ୧୫ ତାରିଖ ବା ତା ପରେ ମୌସୁମୀ ଓଡ଼ିଶା ଛୁଇଁବ । ୧୫ପରେ ଓଡ଼ିଶାରେ ସ୍ୱାଭାବିକ ବା ଅଧିକ ବର୍ଷା ହୋଇପାରେ । ପ୍ରତିବର୍ଷ ଜୁନ୍ରେ ମୌସୁମୀ ଆସେ । ଏଥିପାଇଁ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିବା ସହ ଗୁଳୁଗୁଳି ବଢ଼େ । ମୌସୁମୀ ଆସିବା ପରେ ଗୁଳୁଗୁଳି କମିବ ବୋଲି ସେ କହିଛନ୍ତି ।
Powered by Froala Editor