ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଲେ ରୋହିତ ପୂଜାରୀ
ଭୁବନେଶ୍ଵର : ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଲେ ରୋହିତ ପୂଜାରୀ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଏହି ପଦକ୍ଷେପ ନିଆଯାଇଛି। ଉଚ୍ଚଶିକ୍ଷା ବିଭାଗରେ ଦୁର୍ବଳ ପ୍ରଦର୍ଶନ ପାଇଁ ସେ ବାଦ୍ ପଡିଛନ୍ତି। ଏଥିପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖି ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୨ରେ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। କିଛି ଦିନ ତଳେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ବି ସେ ମନ୍ତ୍ରୀ ଦାୟିତ୍ୱରେ ଥିଲେ। ରେଢାଖୋଲରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ରୋହିତ୍ ପୂଜାରୀ । ଏଣେ ରାଜନୀତି କ୍ଷେତ୍ରରେ ଅବସର ନେବାର କୌଣସି ବୟସ ସୀମା ଏପର୍ୟ୍ୟନ୍ତ ସ୍ଥିର ହୋଇନଥିବା ବେଳେ ରେଢ଼ାଖୋଲ ବିଧାୟକ ତଥା ତତକାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ବିଧାନସଭା ନିର୍ବାଚନ ନଲଢ଼ିବା ଉଚିତ ବୋଲି ଯୁକ୍ତି ରଖିଥିଲେ। ତାଙ୍କ ଏହି ‘ଅବସର ନୀତି ପଛରେ ରେଢ଼ାଖୋଲ ଅଂଚଳରେ ସାଂଗଠନିକ ସ୍ଥିତି ପୂର୍ବାପେକ୍ଷା ଦୁର୍ବଳ ହେବା ଏବଂ ବରିଷ୍ଠ ନେତାଙ୍କ ସକ୍ରିୟତାକୁ ନେଇ ଏହି ବିଧାନସଭା କ୍ଷେତ୍ର ହାତଛଡ଼ା ହେବା ଡର ନା ଅନ୍ୟ କିଛି ଆଦର୍ଶ ରହିଛି ବୋଲି ଅଂଚଳରେ ଚର୍ଚ୍ଚା ହୋଇଥିଲା। ଏହି ମନ୍ତବ୍ୟ ରୋହିତଙ୍କ ପାଇଁ ମହଙ୍ଗା ପଡ଼ିଲା ବୋଲି ସମ୍ବଲପୁର ଓ ରେଢ଼ାଖୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଥାଉକି ଗତ କିଛିଦିନ ତଳେ ମନ୍ତ୍ରୀମଣ୍ଡଳର ବଡଧରଣର ଅଦଳବଦଳ ହୋଇଥିଲା । ରାଜ୍ୟ ମନ୍ତ୍ରୀମଣ୍ଡଳରେ ୪ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା । ଏମିତିକି ବାଚସ୍ପତି ପଦରୁ ବି ଇସ୍ତଫା ଦେଇଥିଲେ ବିକ୍ରମ ଆରୁଖ । ତେବେ ସବୁ କଳ୍ପନା ଜଳ୍ପନାରେ ଅନ୍ତ ଘଟାଇ ମେ ୨୨ରେ ଶପଥ ନେଇଥିଲେ ରାଜ୍ୟର ୩ ନୂଆ ମନ୍ତ୍ରୀ । ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ, ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ଓ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ନୂଆ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
Powered by Froala Editor