ଆଶ୍ରୟ ନେଇଥିଲେ ଶ୍ରମିକ, ମାଡ଼ିଗଲା ମାଲ୍ବାହୀ ଟ୍ରେନ୍
ବାହାନଗା ଟ୍ରେନ୍ ଦୁର୍ଘଟଣା ମଣିଷ ମନରୁ ଲିଭି ନ ଥିବା ବେଳେ ବୁଧବାର ଆଉ ଏକ ଅଘଟଣ ଯାଜପୁରରୋଡ୍ ଷ୍ଟେଶନ ନିକଟରେ ଘଟିଛି। ଯାଜପୁର-କେନ୍ଦୁଝର ରୋଡ୍ ଷ୍ଟେଶନଠାରୁ କଟକ ଆଡ଼କୁ ପ୍ରାୟ ୨୦୦ ମିଟର ଦୂରତାରେ ଏକ ମାଲବାହୀ ଟ୍ରେନ୍ରେ କଟି ବୁଧବାର ୬ ଜଣଙ୍କ ମୃତ୍ୟୁ ଘଟିଛି। ଅପରାହ୍ନରେ ଖୁବ୍ ଜୋର୍ରେ ବର୍ଷା ପବନ ଆସିବାରୁ ଶ୍ରମିକମାନେ ଏହି ମାଲ୍ବାହୀ ଟ୍ରେନ୍ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ସେଫ୍ଟି ଲାଇନ୍ରେ ଥିବା ଟ୍ରେନ୍ ଗଡ଼ିଥିଲା। ଫଳରେ ଏହି ଶ୍ରମିକମାନଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଶ୍ରମିକ ଗୁରୁତର ଥିବା ଜଣାପଡ଼ିଛି।
ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାରେ ଆହତ ଦୁଇ ଜଣଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ମୃତକମାନେ ହେଲେ ଯାଜପୁର ଜିଲ୍ଲା କୋରୋଇ ବ୍ଲକର ବାଲିଆପାଳ ଗାଁର ଭୀମସେନା ଜେନା, ପ୍ରଶାନ୍ତ ଜେନା, ସୁଶାନ୍ତ ଜେନା, ଗମାରିଆର ଗୌତମ ସାମଲ, ମାନସ ସାମଲ ଓ ଗୋସଳାର ଦଳଗୋବିନ୍ଦ ପ୍ରଧାନ। ନବଘନ ବାରିକ ଓ ଅମର ସାହୁଙ୍କୁ ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।
Powered by Froala Editor