ୟାସ୍ କ୍ଷୟକ୍ଷତି: ଓଡ଼ିଶାକୁ ମିଳିଲା ୫୦୦ କୋଟିର ସହାୟତା

ୟାସ୍ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ କ୍ଷୟକ୍ଷତିର ଅନୁଧ୍ୟାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ତିନୋଟି ରାଜ୍ୟ ପାଇଁ ଏକ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଘୋଷଣା କରାଯାଇଛି। ୫୦୦ କୋଟି ଟଙ୍କା ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ଘୋଷଣା କରାଯାଇଥିବାବେଳେ କେବଳ ଓଡିଶା ପାଇଁ ୫୦୦ କୋଟି ଟଙ୍କା ଘୋଷଣା କରାଯାଇଛି। ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡିଶା ଗସ୍ତରେ ଆସି ଫେରିବା ପରେ ଏହି ଘୋଷଣା କରିଛନ୍ତି।
ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୁଲିସ୍ ଡିଜି ଅଭୟ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।
କ୍ଷୟକ୍ଷତି ଆକଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିଥିଲେ। ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ସମୀକ୍ଷା ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମଧ୍ୟ ଥିଲେ।
ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କରିଥିଲେ। ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ୍ ବ୍ୟବସ୍ଥା ଦାବି କରିଥିଲେ। ଏଥିପାଇଁ ଉନ୍ନତ ଟେକ୍ନୋଲୋଜି ଓ ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଆବଶ୍ୟକ। ସେହିପରି ଉପକୂଳରେ ୭/୮ ମିଟର ପର୍ଯ୍ୟନ୍ତ ଜୁଆର ଉଠୁଥିବାର ତାର ଦୀର୍ଘସ୍ଥାୟୀ ବ୍ୟବସ୍ଥା କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ।
ୟାସ୍ ମୁକାବିଲା ପ୍ରକ୍ରିୟାରେ ସାମିଲ ହୋଇ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିୟମିତ ଭାବେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନଡିଆରଏଫ) ମହା ନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନଙ୍କ ସହ କ୍ରମାଗତ ଯୋଗାଯୋଗରେ ଥାଇ ସ୍ଥିତିର ଅନୁଧ୍ୟାନ କରୁଥିଲେ।
Powered by Froala Editor