ଡ୍ୟୁଟିରେ ଯୋଗଦେଲେ ରେସଲର ବଜରଙ୍ଗ, ବିନେଶ, ସାକ୍ଷୀ
ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ସେମାନେ ନିଜ ଜିଦରେ ଅଟଳ ଥିବା ବେଳେ ହଠାତ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ରବିବାର ରାତିରେ ଭେଟିଥିଲେ। ଏହି କ୍ରମରେ ଖବର ଆସିଛି କି ରେସଲର ବଜରଙ୍ଗ ପୁନିଆ, ବିନେଶ ଫୋଗଟ, ସାକ୍ଷୀ ମଲିକ ତାଙ୍କ ଚାକିରିକୁ ଫେରି ଯାଇଛନ୍ତି। ରେସଲରମାନେ କହିଛନ୍ତି, ‘ଆନ୍ଦୋଳନ ସହ ରେଳରେ ଚାକିରି କରିଥିବାରୁ ଆମର ସେଥିପ୍ରତି କିଛି କର୍ତ୍ତବ୍ୟ ରହିଛି। ଯାହାକୁ ପାଳନ କରିବାକୁ ହେବ।’ ଅଲିମ୍ପିକ୍ସରେ ପଦକ ଜିତିଥିବା ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆଙ୍କ ଠାରୁ ଆରମ୍ଭ କରି ଭିନେଶ ଫୋଗଟ ଏବଂ ଅନ୍ୟ ସମସ୍ତ ରେସଲର ଡ୍ୟୁଟି ଆରମ୍ଭ କରିଛନ୍ତି।
ଏହି ଖବରକୁ ନେଇ ସାକ୍ଷୀ ମୁହଁ ଖୋଲି କହିଛନ୍ତି, ‘ଏହି ଖବର ଭୁଲ ଅଟେ। ନ୍ୟାୟର ଲଢ଼େଇରେ ଆମ ମଧ୍ୟରୁ କେହି ବି ପଛକୁ ହଟି ନାହାନ୍ତି । ଆମର ଏହି ଲଢ଼େଇ ଜାରି ରହିବ।’ ଆନ୍ଦୋଳନକୁ ନେଇ ବଜରଙ୍ଗ ପୁନିଆ କହିଥିଲେ, ‘ଆମେ ନିଶ୍ଚିତ ଯେ ଦିନେ ଆମେ ଜିତିବୁ, ସମଗ୍ର ଦେଶ ଆମ ସହ ମିଶି ଲଢୁଛନ୍ତି । ଆମର ଆନ୍ଦୋଳନ ଦିନକୁ ଦିନ ଶକ୍ତିଶାଳୀ ହେଉଛି ।
ଗତ ଏପ୍ରିଲ ୨୩ରୁ ରେସଲରମାନେ ଯନ୍ତରମନ୍ତରରେ ଆନ୍ଦୋଳନ ଆରମ୍ଭ କରିଥିଲେ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ପ୍ରଥମେ ଏଫଆଇଆର ରୁଜୁ କରିବାକୁ ଅମଙ୍ଗ ହେଉଥିବା ଦିଲ୍ଲୀ ପୁଲିସ୍ ଏଥିରେ ରାଜି ହୋଇଥିଲା। ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଦିଲ୍ଲୀ ପୁଲିସ୍ ଏଫଆଇଆର ରୁଜୁ କରିଛି। ହେଲେ ବ୍ରିଜ ଭୂଷଣ ବେଧଡ଼କ ବାହାରେ ବୁଲିବାରେ ଲାଗିଛନ୍ତି।
Powered by Froala Editor