ବିଭିନ୍ନ ଜେଲରେ କୋଭିଡ ଆକ୍ରାନ୍ତ କଏଦୀଙ୍କ ସଂଖ୍ୟା ବଢୁଛି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜେଲରେ କୋଭିଡ ଆକ୍ରାନ୍ତ କଏଦୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଝାରପଡ଼ା ସମେତ କେତେକ ଜେଲ ଚିନ୍ତା ବଢ଼ାଇଛନ୍ତି । ରାଜ୍ୟରେ ୮୭ଟି ଜେଲ ମଧ୍ୟରୁ ୩୩ଟିରେ ୮୧୬ଜଣ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୨୦ଜଣ ସୁସ୍ଥ ହୋଇ ସାରିଲେଣି । ସେହିପରି ୫୪ ଜେଲରେ କେହି ଆକ୍ରାନ୍ତ ହୋଇ ନଥିବା ବିଭାଗ ପକ୍ଷରୁ କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ, ଜେଲରୁ କଏଦୀଙ୍କ ସଂଖ୍ୟା କମାଇବା ଲାଗି ଚେଷ୍ଟା ଜାରି ରହିଛି । ଉଚ୍ଚକ୍ଷମତା ସମ୍ପନ୍ନ କମିଟି ନିଷ୍ପତ୍ତି ଅନୁସାରେ, ଏହି ପ୍ରକ୍ରିୟା ଜାରି ରହିଛି । ମେ’ ୧ ତାରିଖ ସୁଦ୍ଧା ରାଜ୍ୟର ୮୭ ଜେଲରେ ୨୦୧୫୦ ଜଣ କଏଦୀ ରହିଥିଲେ, ଯାହା କ୍ଷମତାଠାରୁ ଅଧିକ ରହିଥିଲା । ମେ’ ୨୬ ତାରିଖ ସୁଦ୍ଧା ଏହି ସଂଖ୍ୟା ୧୮୫୮୦ ରହିଛି । ପ୍ରାୟ ଦେଢ଼ ହଜାର କଏଦୀ ମୁକୁଳି ସାରିଲେଣି । ସେହିପରି ଅଧିକ କଏଦୀ ଥିବା ଜେଲରୁ ସ୍ଥାନାନ୍ତର ମଧ୍ୟ କରାଯାଇଛି । ୬୫୮ଜଣ କଏଦୀଙ୍କୁ ବିଭିନ୍ନ ଜେଲକୁ ସ୍ଥାନାନ୍ତର କରାଯାଇଛି । କୋଭିଡ୍ ମୁକାବିଲା ସହ ମେଡିସିନ୍ ଓ ଆଗୁଆ ପଦକ୍ଷେପ ନେବା ପାଇଁ ଜେଲଗୁଡ଼ିକୁ ଆର୍ଥôକ ସହାୟତା ଯୋଗାଇ ଦିଆଯାଇଛି । ସବଜେଲକୁ ୧୫ ହଜାର ଏବଂ ଜିଲ୍ଲା ଓ ସ୍ୱତନ୍ତ୍ର ଜେଲକୁ ୨୫ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଅଗ୍ନିଶମ ବାହିନୀ ସହାୟତାରେ ଜେଲ ୱାର୍ଡ ଓ କ୍ୟାମ୍ପସକୁ ନିୟମିତ ବିଶୋଧନ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି ।
Powered by Froala Editor