ଜେଲରେ ସ୍ମାର୍ଟଫାନ ବ୍ୟବହାର କରୁଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ଝାରପଡ଼ା ଜେଲରୁ ମୋବାଇଲ ଫୋନ ଜବତ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି । ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜେଲ ଭିତରେ ଏକ ସ୍ମାର୍ଟଫୋନ୍ ବ୍ୟବହାର କରୁଥିଲେ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ଦଫାରେ ଯେଉଁ ୭ଟି ମୋବାଇଲ ଜବତ ହୋଇଥିଲା, ସେଥିରୁ ଗୋଟିଏ ଫୋନରେ ବିଧାୟକ କଥାବର୍ତ୍ତା ହେଉଥିଲେ । ବିଧାୟକ ଶ୍ରୀ ପାଣିଗ୍ରାହୀ ସମ୍ପର୍କୀୟ ଓ ଚିହ୍ନାପରିଚିତ ଲୋକଙ୍କ ସହ କଥା ହେଉଥିଲେ ବୋଲି କୁହାଯାଉଛି । ଏ ବାବଦରେ ଜେଲ ବିଭାଗ ଓ ପୁଲିସକୁ ତଥ୍ୟ ମିଳିଛି । କିନ୍ତୁ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହେଉଥିବାରୁ ଏ ସମ୍ପର୍କରେ କେହି ମୁହଁ ଖୋଲୁ ନାହାନ୍ତି । ଏହି ଫୋନ କାହାର ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଜେଲରେ ପୂର୍ବରୁ ବିଚାରାଧୀନ ବନ୍ଦୀ ଥିବା ଜଣେ କୁଖ୍ୟାତ ଅପରାଧୀର ବୋଲି କୁହାଯାଉଛି । ସମ୍ପୃକ୍ତ ଅପରାଧୀକୁ ମଧ୍ୟ ପୂର୍ବରୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଛି । ଏ ସମ୍ପର୍କରେ ଅଧିକ ଖୋଳତାଡ଼ ଜାରି ରହିଛି । ତେବେ ଯେଉଁ ଅସାଧୁ କର୍ମଚାରୀ ଜେଲ ଭିତରକୁ ଫୋନ୍ ନେଇ ଯାଉଥିଲେ, ସେମାନଙ୍କ ବିରୋଧରେ କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହି ଘଟଣା ନୂଆ ନୁହେଁ, ପୂର୍ବରୁ ମଧ୍ୟ ଘଟିଛି । ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୧୫ଦିନ ଭିତରେ ଝାରପଡ଼ା ଜେଲରୁ ବିଭିନ୍ନ ସମୟରେ ୧୭ଟି ମୋବାଇଲ ଫୋନ୍ ଜବତ ହୋଇଛି । ବିଭିନ୍ନ ୱାର୍ଡର ଚଟାଣ, କାନ୍ଥ ଭିତରୁ ମୋବାଇଲ ଫୋନ୍ ମିଳିଛି ।
Powered by Froala Editor