‘ଓଟିଟି’ରେ ତମାଖୁ ଚେତାବନୀ ରହିବ, ନମାନିଲେ କଠୋର କାର୍ଯ୍ୟାନୁଷ୍ଠାନ
ଆମେ ହଲ୍ରେ ଫିଲ୍ମ ଦେଖିବାବେଳେ ତମାଖୁ ବର୍ଜନ ପାଇଁ ବିଭିନ୍ନ ବିଜ୍ଞାପନ ଆସିଥାଏ । ତେବେ ‘ଓଭର୍-ଦି-ଟପ୍’ ଓଟିଟି ପ୍ଲାଟଫର୍ମ ପାଇଁ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି । ଓଟିଟିରେ ତମାଖୁ-ବିରୋଧୀ ଚେତାବନୀ ରହିବା ଆବଶ୍ୟକ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।
ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଉଥିବା ଚଳଚ୍ଚିତ୍ର ଏବଂ ଟେଲିଭିଜନ୍ରେ ପ୍ରସାରିତ କାର୍ଯ୍ୟକ୍ରମରେ ଯେମିତି ‘ତମାଖୁ-ବିରୋଧୀ ଚେତାବନୀ’ ଓ ‘ଡିସ୍କ୍ଲେମର୍’ ପ୍ରଦର୍ଶନ କରାଯାଉଛି ‘ଓଟିଟି’ ପ୍ଲାଟ୍ଫର୍ମରେ ମଧ୍ୟ ଏବେ ସେଭଳି ପ୍ରଦର୍ଶନ କରାଯିବା ଆବଶ୍ୟକ ବୋଲି ଉକ୍ତ ବିଜ୍ଞପ୍ତିରେ କୁହାଯାଇଛି। ନୂଆ ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ ଅଛି।
ସୂଚନାଯୋଗ୍ୟ, ସମ୍ପ୍ରତି ‘ଓଟିଟି’ ପ୍ଲାଟ୍ଫର୍ମର ଲୋକପ୍ରିୟତା ବୃଦ୍ଧି ପାଇଛି ଏବଂ ଏହା ଜନସାଧାରଣଙ୍କୁ, ବିଶେଷକରି ନାବାଳକମାନଙ୍କୁ ବିଶେଷ ପ୍ରଭାବିତ କରୁଥିବାରୁ ସ୍ବାସ୍ଥ୍ୟ ବିଭାଗ ଏପରି ପଦକ୍ଷେପ ଗ୍ରହଣ କରିଛି।
ଓଟିଟିରେ ରିଲିଜ ହେଉଥିବା ବିଭିନ୍ନ ଫିଲ୍ମ, ସିରିଜ କିମ୍ବା ଯେ କାର୍ଯ୍ୟକ୍ରମରେ ଅଭିନେତା ଓ ଅଭିନେତ୍ରୀମାନେ ଆଲକହଲ ବ୍ୟବହାର କରୁଥିବା ଦୃଶ୍ୟ ରହୁଛି । ତେବେ ନିଶାନିବାରଣ ପାଇଁ ସଚେତନତା ଜରୁରୀ ଥିବାବେଳେ ଓଟିଟି ଏହି ନିୟମ ପାଳନ କରିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ ରହିଛି ।
Powered by Froala Editor