କ୍ୟାବିନେଟ: ବଲାଙ୍ଗୀରରେ ୬ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ, ସୁବିଧା ପାଇବେ ୨୨୨ଟି ଗ୍ରାମ

ଭୁବନେଶ୍ୱର: ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ଆଜି ବିଜେଡି ସରକାରର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରା ହୋଇଥିବାବେଳେ ନିର୍ବାଚନ ପୂର୍ବରୁ ବିଜେଡି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଆଜି କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ମୋଟ ୧୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।
ତେବେ ବୈଠକରେ ବଲାଙ୍ଗୀର ଜିଲ୍ଲାରେ ୬ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହା ଦ୍ୱାରା ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ୨୨୨ଟି ଗ୍ରାମର ୧.୬୧ ଲୋକ ପାନୀୟ ଜଳ ସୁବିଧା ପାଇପାରିବେ ବୋଲି ଜଣାଯାଇଛି । ଏହାଛଡ଼ା ଗଜପତିର ୨ଟି ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଯେଉଁଥି ପାଇଁ ଖର୍ଚ୍ଚ ହେବ ୩୭୯.୧୭ କୋଟି ଟଙ୍କା ।
ସେହିପରି ଭିସୁଟର ଉନ୍ନତୀକରଣ ପାଇଁ ୨୦୦୦ କୋଟି ଟଙ୍କା ଅନୁମୋଦନ କରାଯାଇଛି । ବେସରକାରୀ ଓ ଜୁନିଅର କଲେଜରେ ଲାଇବ୍ରେରୀ ଆଟେଣ୍ଡାଣ୍ଟ ପଦବୀକୁ ମଧ୍ୟ ମଞ୍ଜୁରୀ ମିଳିଛି ।
ପଞ୍ଚମ ପାଳି ସରକାରର ପଞ୍ଚମ ବର୍ଷ ଆରମ୍ଭର ପ୍ରଥମ ଦିନରେ ନବୀନ ବଡ଼ ଘୋଷଣା କରିଛନ୍ତି। ସରକାର ନିର୍ବାଚନ ବର୍ଷକୁ ପ୍ରବେଶ କରୁଥିବାରୁ ଏହି କ୍ୟାବିନେଟରେ ବଡ଼ ଘୋଷଣା କରାଯାଇଥିବା ଜଣାପଡ଼ିଛି । ୨୦୧୯ ମେ’ ୨୯ରେ ନବୀନଙ୍କ ପଞ୍ଚମ ପାଳି ସରକାର ଗଠନ ହୋଇଥିଲା । ପଞ୍ଚମ ପାଳି ସରକାର ଶପଥ ଗ୍ରହଣ ଦିନ ହିଁ କ୍ୟାବିନେଟ ବୈଠକ ଡାକି ମୁଖ୍ୟମନ୍ତ୍ରୀ ନିର୍ବାଚନରେ ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ସେହି ଅନୁସାରେ ନବୀନ ନିଜ ପ୍ରତିଶ୍ରୁତି ପୂରଣ କରି ଚାଲିଛନ୍ତି ।
Powered by Froala Editor