ପୂର୍ବତନ ବିଡିଓ ସମେତ ୪ଜଣ ସରକାରୀ କର୍ମଚାରୀଙ୍କୁ କାରାଦଣ୍ଡ ଆଦେଶ

ବାରିପଦା: ସ୍ଥାନୀୟ ଭିଜିଲାନ୍ସ କୋର୍ଟରେ ଏକ ସରକାରୀ ଅର୍ଥ ଅନିୟମିତତା ଘଟଣାରେ ସ୍ୱତନ୍ତ୍ର ଜଜ ଡ. ପ୍ରସନ୍ନ କୁମାର ପଣ୍ଡା ବଡ଼ସାହିର ପୂର୍ବତନ ବିଡ଼ିଓ ସମେତ ୪ଜଣ ସରକାରୀ କର୍ମଚାରୀଙ୍କୁ ଦୋଷୀ ସାବସ୍ତ୍ୟ କରି ଦଣ୍ଡାଦେଶ ଶୁଣାଣି କରିଛନ୍ତି । ସମସ୍ତଙ୍କୁ ୩ବର୍ଷ ଲେଖାଏଁ କାରାଦଣ୍ଡ ଆଦେଶ ଦେବା ସହିତ ୧୫ହଜାର ଟଙ୍କା ଲେଖାଏଁ ଜରିମାନା, ଅନାଦେୟ ଅଧିକ ୨ମାସ ଲେଖାଏଁ ଅତିରିକ୍ତ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି ।
ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକର ତତକାଳୀନ(ବର୍ତ୍ତମାନ ଅବସପ୍ରାପ୍ତ) ବିଡ଼ିଓ ଭଗବାନ ବେହେରା, ବରିଷ୍ଠ ବିରାଣୀ ଶ୍ରୀନାଥ ମୁର୍ମୁ(ବର୍ତ୍ତମାନ ସାରସକଣା ତହସିଲ କାର୍ୟ୍ୟାଳୟରେ କାର୍ୟ୍ୟରତ), ପୂର୍ବତନ ବାରିପଦା ଅଡିଟ କାର୍ୟ୍ୟାଳୟର ଅଡିଟରର(ବର୍ତ୍ତମାନ ଅବସରପ୍ରାପ୍ତ) ଗୋପାଳ ଚନ୍ଦ୍ର ମହାଳିକ ଓ ଜିଲ୍ଲାପରିଷଦର ତତକାଳୀନ ବରିଷ୍ଠ କିରାଣୀ(ବର୍ତ୍ତମାନ ଅବସରପ୍ରାପ୍ତ) ତାପସ ରଞ୍ଜନ ମହାନ୍ତିଙ୍କୁ ବିଚାରପତି ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥି ସହିତ ବର୍ତ୍ତମାନ ସାରସକଣା ତହସିଲ କାର୍ୟ୍ୟାଳୟରେ କାର୍ୟ୍ୟରତ ଥିବା କିରାଣୀ ଶ୍ରୀନାଥ ମୁର୍ମୁଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି।
୪ଜଣ ମିଳିତ ଭାବେ ୪ଲକ୍ଷ ୭ହଜାର ୭୦୦ଟଙ୍କା ସରକାରୀ ଅର୍ଥ ଅନିୟମିତତାରେ ଜଡିତ ଥିବା ନେଇ ସାକ୍ଷ୍ୟ ପ୍ରମାଣ, ବୟାନ ଓ ତଦନ୍ତ ରିପୋର୍ଟକୁ ଭିତ୍ତି କରି ଜଜ୍ ଉପରୋକ୍ତ ଶୁଣାଣି କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ ସରକାରୀ ଆଇନଜୀବୀ ଶାନ୍ତନୁ କୁମାର ଦାସ ପରିଚାଳନା କରୁଥିଲେ।
Powered by Froala Editor