ସମ୍ପତ୍ତି ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ନିଜର ସମ୍ପତ୍ତି ତାଲିକା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ରେ ଏହି ସମ୍ପତ୍ତି ତାଲିକା ଉପଲବ୍ଧ ହୋଇଛି। ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ହିଁ ସବୁଠାରୁ ଧନୀ। ୨୦୨୨ ଡିସେମ୍ବର ସୁଦ୍ଧା ତାଙ୍କ ସମ୍ପତ୍ତି ପରିମାଣ ୬୫ କୋଟି ୪୦ ଲକ୍ଷ ୭୯ ହଜାର ୬୯୩ ଟଙ୍କା ହୋଇଛି। ତେବେ ଗତ ବର୍ଷଠାରୁ ନବୀନଙ୍କ ସମ୍ପତ୍ତିର ପରିମାଣ ୪୨ଲକ୍ଷ ୯୦ହଜାର ଟଙ୍କା ବଢ଼ିଛି। ମୁଖ୍ୟମନ୍ତ୍ରୀ ଦେଇଥିବା ସତ୍ୟପାଠ ଅନୁଯାୟୀ ଦିଲ୍ଲୀର ଜନପଥରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୭୦ ଲକ୍ଷ ଟଙ୍କା, ଭୁବନେଶ୍ବରର ଏସ୍ବିଆଇରେ ୨୦ ଲକ୍ଷ ୮୭ ହଜାର, ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ୍ ଏସ୍ବିଆଇରେ ୭ ହଜାର ଓ ଅନ୍ୟ ଏକ ଆକାଉଣ୍ଟ୍ରେ ୧୪ ହଜାର ଟଙ୍କା ରହିଛି।
ଏଚ୍ଡିଏଫ୍ସି ବ୍ୟାଙ୍କରେ ୧ କୋଟି ଟଙ୍କାର ଫିକ୍ସ୍ଡ୍ ଡିପୋଜିଟ୍ ରହିଛି। ଏହା ବାଦ୍ ୯ କୋଟି ଟଙ୍କାର ଆର୍ବିଆଇ ବଣ୍ଡ୍ ଓ ପୋଷ୍ଟ୍ ଅଫିସ୍ରେ ଦେଢ଼ କୋଟି ଟଙ୍କାର ଟର୍ମ ଡିପୋଜିଟ୍ ରହିଛି। ଦିଲ୍ଲୀ ଲୋଧି ରୋଡ୍ର ପୋଷ୍ଟ ଅଫିସ୍ରେ ୬ ଲକ୍ଷ ୯୬ ହଜାର ଟଙ୍କା ରହିଛି। ନବୀନଙ୍କ ପାଖରେ ସାଢ଼େ ତିନି ଲକ୍ଷ ଟଙ୍କାର ସୁନା ଗହଣା ଥିଲା ବେଳେ ୧୯୮୦ ମସିହାର ଏକ ଆମ୍ବାସଡର୍ କାର୍ ରହିଛି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କର ଦୁଇ ତୃତୀୟାଂଶ ସେୟାର ଅଛି, ଯାହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ଟଙ୍କା ହେବ। ଦିଲ୍ଲୀର ଏପିଜେ ଅବଦୁଲ୍ କଲାମ୍ ରୋଡ୍ରେ ଥିବା ସମ୍ପତ୍ତିରେ ନବୀନଙ୍କର ୫୦ ପ୍ରତିଶତ ସେୟାର ରହିଛି। ଏହାର ବର୍ତ୍ତମାନର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାରଟଙ୍କା ହେବ। ନବୀନଙ୍କର ଉପରେ କିଛି ଋଣ ଭାର ନାହିଁ।
ନବୀନଙ୍କ ମନ୍ତ୍ରିମଣ୍ଡଳରେ ବହୁ ମନ୍ତ୍ରୀ କୋଟିପତି। ଏହି ତାଲିକାରେ ଅଛନ୍ତି ଅଶୋକ ଚନ୍ଦ୍ର ପଣ୍ଡା, ପ୍ରୀତିରଞ୍ଜନ ଘଡ଼ାଇ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଉଷା ଦେବୀ, ଅତନୁ ସବ୍ୟସାଚ୍ଚୀ ନାୟକ, ରାଜେନ୍ଦ୍ର ଢୋଲକିଆ, ଟୁକୁନି ସାହୁ, ପ୍ରଦୀପ ଅମାତ, ପ୍ରତାପ ଦେବ, ବାସନ୍ତୀ ହେମ୍ବ୍ରମ୍, ରୋହିତ ପୂଜାରୀ ଓ ଅଶ୍ବିନୀ ପାତ୍ର। ନବୀନଙ୍କ ମନ୍ତ୍ରିମଣ୍ଡଳରେ ଗତ ବର୍ଷ ସବୁଠାରୁ ଗରିବ ଥିଲେ ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଏଥର ବି ସେ ସେହି ସ୍ଥାନ ବଜାୟ ରଖିଛନ୍ତି। ତାଙ୍କର ମୋଟ୍ ସମ୍ପତ୍ତି ମୂଲ୍ୟ ୪୨ ଲକ୍ଷ ଟଙ୍କା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପୃଷ୍ଠାରେ ସ୍ପଷ୍ଟ ଭାବେ ତାଙ୍କ ସମ୍ପତ୍ତି ତାଲିକା ଦେଇଛନ୍ତି।
କିନ୍ତୁ ଅନ୍ୟ ମନ୍ତ୍ରୀମାନେ ସେପରି କରିନାହାନ୍ତି। ୫/୬ ପୃଷ୍ଠା ସମ୍ବଳିତ ସମ୍ପତ୍ତି ତାଲିକା ଦେଇଛନ୍ତି। ତାହାକୁ ଦେଖି ହଠାତ ଜଣେ ସାଧାରଣ ନାଗରିକ କିଛି ବୁଝିବା କଷ୍ଟ। ଏପରିକି ଜଣେ ଜଣେ ମନ୍ତ୍ରୀ ୧୦ରୁ ଅଧିକ ପୃଷ୍ଠା ସମ୍ବଳିତ ସମ୍ପତ୍ତି ତାଲିକା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସବୁ ଥର ଗୋଟିଏ ପୃଷ୍ଠାରେ ତାଲିକା ଦେଉଥିଲା ବେଳେ ଅନ୍ୟମାନେ ତାହାକୁ ଅନୁକରଣ ନକରି କାହିଁକି ଗୁଡ଼େଇ ତୁଡ଼େଇ ଲେଖୁଛନ୍ତି, ତାହା ବୁଝାପଡ଼ୁନି।
Powered by Froala Editor