ଦେଢ଼ଗୁଣା ବଢ଼ିଲା ମେଧାବୃତ୍ତି ସହାୟତା ରାଶି
ଭୁବନେଶ୍ୱର: ବଦଳିଲା ମେଧାବୃତ୍ତି ଯୋଜନାର ରୂପରେଖ। ବଢ଼ିଲା ସହାୟତା ରାଶି। ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ରାଶିରେ ବୃଦ୍ଧି ସହ ଅଧାରୁ ଅଧିକ ବୃତ୍ତି ବାବଦ ରାଶି ଦେଢ଼ଗୁଣା ବୃଦ୍ଧି କରାଯାଇଛି। ଯାହାକି ମେଧାବୀଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିବା ସହ ମଧ୍ୟବିତ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇବ। ତେବେ ରାଜ୍ୟ ସରକାର ଏ ବାବଦକୁ ବାର୍ଷିକ ୪୦କୋଟି ଟଙ୍କାର ବ୍ୟୟ ଭାର ବହନ କରିବେ।
ଚଳିତ ଶିକ୍ଷା ବର୍ଷରୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଲାଗୁ ହେବାକୁ ଥିବାବେଳେ ଏହାର କାର୍ୟ୍ୟକାରିତା ନେଇ ଉଚ୍ଚଶିକ୍ଷା ବିଭାଗ ରୂପରେଖ ପ୍ରସ୍ତୁତ କରିଛି।୨୦୨୩-୨୪ ଶିକ୍ଷା ବର୍ଷରୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆରମ୍ଭ ହେଉଥିବାବେଳେ ଏଣିକି ମଧ୍ୟବିତ୍ତ ବର୍ଗର ପିଲାଙ୍କୁ ବି ମେଧାବୃତ୍ତି ପାଇବାର ସୁଯୋଗ ମିଳିବ। ଅଧିକ ମେଧାବୃତ୍ତି ରାଶି ସହ ୨୫ ହଜାର ଛାତ୍ରଛାତ୍ରୀଙ୍କୁ ସୁବିଧା ମିଳିବ। ଏହି ଯୋଜନା ଆଧାରରେ ଇ-ମେଧାବୃତ୍ତି ପାଇଁ ବଡ଼ ପରିବର୍ତ୍ତନ ଆଣାଯାଇଛି। ପୂର୍ବରୁ ୫ ହଜାର ୟୁଜି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ମେଧାବୃତ୍ତି ଦିଆଯାଉଥିଲା। ଯାହା ଏଣିକି ୧୦ ହଜାର ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଭାବେ ମିଳିବ। ସେହିପରି ପିଜିରେ ୩୫୦୦ ବଦଳରେ ୫ ହଜାର ଛାତ୍ରଛାତ୍ରୀ ବାର୍ଷିକ ୧୫ ହଜାର ଟଙ୍କା ମେଧାବୃତ୍ତି ପାଇବେ। ଯାହା ପୂର୍ବରୁ ୧୦ ହଜାର ଟଙ୍କା ମିଳୁଥିଲା।
ବୈଷୟିକ ଛାତ୍ରଛାତ୍ରୀଙ୍କ ତାଲିକା ବି ବଢ଼ିବ। ପୂର୍ବରୁ ୩୫୦୦ ୟୁଜି ସ୍ତରୀୟ ଓ ୨୫୦୦ ପିଜି ସ୍ତରୀୟ ବୈଷୟିକ ଛାତ୍ରଛାତ୍ରୀ ୧୦ ହଜାର ଟଙ୍କା କୋର୍ସର ସମୟ ଅନୁସାରେ ପାଉଥିଲେ। ଏଣିକି ୧୦ ହଜାର ବୈଷୟିକ ଛାତ୍ରଛାତ୍ରୀ ୨୦ ହଜାର ଟଙ୍କା ଲେଖାଏଁ ବୃତ୍ତି ପାଇବେ।
ବ୍ୟାସକବି ଫକୀରମୋହନ ମେଧା ଭାଷାବୃତ୍ତି ଓ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ୟୁଜି ମେଧା ବାଦକୁ ୧୦ କୋଟି, ପିଜି ମେଧା ବାବଦକୁ ସାଢ଼େ ୭ କୋଟି, ଫକୀରମୋହନ ଭାଷା ମେଧାବୃତ୍ତି ବାଦକୁ ଦେଢ଼ କୋଟି, ବୈଷୟିକ ଶିକ୍ଷା ବିଭାଗ ପାଇଁ ୨୦କୋଟି ଓ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପାଇଁ ୧କୋଟି ଟଙ୍କାର ବୃତ୍ତି ରାଶି ଖର୍ଚ୍ଚ ହେବ ବୋଲି ବିଭାଗ ଦର୍ଶାଇଛି।
Powered by Froala Editor