ନବୀନଙ୍କ ଚର୍ଚ୍ଚା କଲେ ପୂରା ଦିନ ବିତିଯିବ:ଭି.କେ.ପାଣ୍ଡିଆନ
ଭୁବନେଶ୍ୱର:ଭୁବନେଶ୍ୱର-ଦୁବାଇ ମଧ୍ୟରେ ସିଧାସଳଖ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ପରିପ୍ରେକ୍ଷୀରେ ଦୁବାଇଠାରେ ଆୟୋଜିତ ଓଡ଼ିଶା ଦିବସରେ ଯୋଗ ଦେଇଥିବା ପ୍ରବାସୀ ଓଡ଼ିଆଙ୍କ ସହ ଭାବ ବିନିମୟ କରିଛନ୍ତି ୫-ଟି ସଚିବ ଭି.କେ.ପାଣ୍ଡିଆନ। ଏହି ଅବସରରେ ସେ କହିଛନ୍ତି ଯେ ଆମ ଦେଶରେ ବହୁ ମହାନ ବ୍ୟକ୍ତିବିଶେଷ ଥିଲେ ଆଉ ଅଛନ୍ତି ମଧ୍ୟ; କିନ୍ତୁ ନବୀନ ପଟ୍ଟନାୟକ ସେମାନଙ୍କ ମଧ୍ୟରୁ ସମ୍ପୂର୍ଣ୍ଣ ଭିନ୍ନ। ଅତ୍ୟନ୍ତ ସରଳ, ଉଦାର, ସମ୍ବେଦନଶୀଳ ମଣିଷ ଭାବରେ ସେ ସ୍ୱତନ୍ତ୍ର। ତାଙ୍କ ପାଖରେ ଏତେ ସଦ୍ଗୁଣ ରହିଛି ତାହା ଉପରେ ଚର୍ଚ୍ଚା କଲେ ପୂରା ଦିନ ବିତିଯିବ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବେ ଓଡ଼ିଶାବାସୀଙ୍କ ସେବାରେ ସମର୍ପି ଦେଇଛନ୍ତି। ତାଙ୍କ ପାଖରେ କାମ କରିବା ସବୁଠାରୁ ବଡ଼ ଗର୍ବର ବିଷୟ ବୋଲି ଶ୍ରୀ ପାଣ୍ଡିଆନ୍ କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୁହୂର୍ତ୍ତରେ ଆମମାନଙ୍କୁ ପ୍ରେରଣା ଦେଇ ଆସିଛନ୍ତି ବୋଲି ସେ କହିଛନ୍ତି।
ସମୃଦ୍ଧ ମଧ୍ୟପ୍ରାଚ୍ୟ ଓ ପାଶ୍ଚାତ୍ୟ ଦେଶର ପ୍ରବେଶଦ୍ୱାର ଦୁବାଇରେ ‘ଓଡ଼ିଶା ଦିବସ’ ପାଳିଛନ୍ତି ଓଡ଼ିଆ। ‘ନବୀନ’ ଓଡ଼ିଶାର ପ୍ରତିନିଧି ଭାବରେ ଦୁବାଇରେ ଏକାଠି ହୋଇଛନ୍ତି ଓଡ଼ିଶାର ବିଭିନ୍ନ ବର୍ଗର ପ୍ରତିନିଧି ଓ ବିଭିନ୍ନ ଦେଶର ପ୍ରବାସୀ ଓଡ଼ିଆ। ଏହି ଅବସରରେ କେବଳ ଦୁବାଇ ନୁହେଁ; ବିଶ୍ୱର ୧୦ଟି ଦେଶରେ ଓଡ଼ିଶା ଦିବସ ପାଳନ କରାଯିବ ଏବଂ ବିଶ୍ୱର ଯେ କୌଣସି ସ୍ଥାନରେ ରଥଯାତ୍ରାରେ ଅନୁଷ୍ଠିତ ହେଲେ ବି ସେଥିରେ ଓଡ଼ିଶାର ପ୍ରତିନିଧିମାନେ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି.କେ.ପାଣ୍ଡିଆନ। ବିଦେଶ ମାଟିରେ ଓଡ଼ିଆ ଭାଷା, ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ରାଜ୍ୟ ସରକାର ଏପରି ପଦକ୍ଷେପ ନେଉଛନ୍ତି ଓ ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ଓଡ଼ିଶା ମୋ ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ଏଥିପାଇଁ ସବୁପ୍ରକାର ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
Powered by Froala Editor