ଲିଭ୍ଇନ୍ରେ ରହୁଥିବା ୫୦୧ ଯୋଡି ବାହାହେଲେ, ଦମ୍ପତିଙ୍କ ମଧ୍ୟରେ ଅଛନ୍ତି ୭୦ ବୟସ୍କ ପୁରୁଷ, ମହିଳା
ଝାଡଖଣ୍ଡର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ବର୍ଷ ବର୍ଷ ଧରି ଲିଭ୍ଇନ୍ ରିଲେଶନସିପ୍ରେ ରହିଆସୁଥିବା ୫୦୧ ଯୋଡିଙ୍କ ବିବାହ କରାଯାଇଛି। ତେବେ ବିବାହ କରିଥିବା ଦମ୍ପତିମାନେ ୨୦ ରୁ ୭୦ ବର୍ଷ ବୟସର ପୁରୁଷ ଏବଂ ମହିଳା ଥିବା ଜଣାଯାଇଛି। ବିବାହ କରିଥିବା ଅନେକ ଦମ୍ପତି ମା’ବାପା ମଧ୍ୟ ହୋଇସାରିଛନ୍ତି। ତାଙ୍କ ପିଲାମାନେ ମଧ୍ୟ ତାଙ୍କ ବିବାହର ସାକ୍ଷୀ ରହିଥିଲେ।
ବିବାହ ଆୟୋଜନ ରାଜ୍ୟର ଖୁଣ୍ଟି ଜିଲାର କରା ବ୍ଲକ ଅନ୍ତର୍ଗତ ଚୌଲା ପତରା ଗ୍ରାମରେ ହୋଇଛି। ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ତାଙ୍କ ସ୍ତ୍ରୀ ମୀରା ମୁଣ୍ଡା ମୁଖ୍ୟ ଅତିଥି ଭାବରେ ସାମିଲ ହୋଇଥିଲେ। କେନ୍ଦ୍ରମନ୍ତ୍ରୀ କନ୍ୟାଦାନ ମଧ୍ୟ କରିଥିଲେ ।
ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ହଜାର ହଜାର ଦମ୍ପତି ବର୍ଷ ବର୍ଷ ଧରି ଲିଭ ଇନ୍ ସମ୍ପର୍କରେ ରହିଆସୁଛନ୍ତି। ଆଦିବାସୀ ଅଞ୍ଚଳରେ ଲିଭ୍ଇନ୍ ରିଲେଶନସିପ୍କୁ ଢୁକୁ ନାମରେ ଜଣାଯାଏ। ଢୁକୁର ଶଦ୍ଦ ହେଉଛି ପ୍ରବେଶ କରିବା। ଯେତେବେଳେ ଜଣେ ମହିଳା ବିବାହ ପୂର୍ବରୁ କୌଣସି ପୁରୁଷଙ୍କ ଘରେ ପ୍ରବେଶ କରନ୍ତି, ଅର୍ଥାତ୍ ରହିବା ଆରମ୍ଭ କରନ୍ତି ତେବେ ସେମାନଙ୍କୁ ଢୁକୁ ବୋଲି କୁହାଯାଏ। ଏହିପରି ଦମ୍ପତିମାନେ ଗୋଟିଏ ଛାତ ତଳେ ବର୍ଷ ବର୍ଷ ବିତାଇବା ପରେ ମଧ୍ୟ ନିଜ ସମ୍ପର୍କକୁ ବିବାହର ନାଁ ଦେଇପାରନ୍ତି ନାହିଁ। ଢୁକୁ ପରମ୍ପରା ପଛରେ ଅର୍ଥନୀତି ସବୁଠାରୁ ବଡ କାରଣ । ବାସ୍ତବରେ, ଆଦିବାସୀ ସମାଜରେ ଏହା ଏକ ବାଧ୍ୟତାମୂଳକ ପରମ୍ପରା ରହିଛି କି, ବିବାହ ଅବସରରେ ସମଗ୍ର ଗାଁ ପାଇଁ ଏକ ଭୋଜି ଆୟୋଜନ କରାଯାଏ। ତେବେ ଅନେକ ଲୋକ ଆର୍ଥିକ ଅଭାବରୁ ଏପରି ବ୍ୟବସ୍ଥା କରିବାକୁ ଅସମର୍ଥ ଏବଂ ଏହି କାରଣରୁ ସେମାନେ ବିବାହ ନ କରି ଏକାଠି ରହିବାକୁ ଆରମ୍ଭ କରନ୍ତି।
ବର୍ତ୍ତମାନ ଏଭଳି ସମ୍ପର୍କକୁ ଆଇନଗତ ଏବଂ ସାମାଜିକ ସ୍ୱୀକୃତି ଦେବା ପାଇଁ ଝାଡ଼ଖଣ୍ଡରେ ଏକ ଅଭିଯାନ ଚାଲିଛି। ଗତ ଚାରି-ପାଞ୍ଚ ବର୍ଷ ଧରି, କେତେକ ସ୍ବେଚ୍ଛାସେବୀ ସଂଗଠନର ଉଦ୍ୟମରେ ଏହିପରି ଦମ୍ପତିଙ୍କ ବିବାହ ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଛି । ସମ୍ପର୍କକୁ ଆଇନଗତ ଏବଂ ସାମାଜିକ ସ୍ୱୀକୃତି ଦେବା କାର୍ଯ୍ୟ କରାଯାଉଛି ।
Powered by Froala Editor