The Kerala Story ବ୍ୟାନ କରିବାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ କଲେ ସୁପ୍ରିମକୋର୍ଟ

ପଶ୍ଚିମବଙ୍ଗ ସରକାର ରାଜ୍ୟରେ କାହିଁକି ‘The Kerala Story'କୁ ବ୍ୟାନ କରିଛନ୍ତି, ତା’ର କାରଣ ଜାଣିବା ପାଇଁ ଶୁକ୍ରବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ପୂରା ଦେଶରେ ଏହା ବିନା କୌଣସି ସମସ୍ୟାରେ ଚାଲିଥିବା ବେଳେ ବେଙ୍ଗଲରେ କାହିଁକି ବ୍ୟାନ କରାଯାଇଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଏଥିସହ ତାମିଲନାଡୁ ସରକାରଙ୍କୁ ମଧ୍ୟ ସୁପ୍ରିମକୋର୍ଟ ‘The Kerala Story' ପ୍ରସଙ୍ଗରେ ନୋଟିସ କରିଛନ୍ତି।
ଏହି ଫିଲ୍ମ ମେ’ ୫ରେ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। କିନ୍ତୁ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏଥି ସହିତ ତାମିଲନାଡୁର ପ୍ରେକ୍ଷାଳୟରେ ମଧ୍ୟ ସ୍କ୍ରିନିଂ କରାଯାଉନାହିଁ। ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି, ଫିଲ୍ମଟି ଭଲ କି ଖରାପ ତାହା ଲୋକମାନେ ସ୍ଥିର କରନ୍ତୁ। ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି, “ଏହି ଫିଲ୍ମକୁ କାହିଁକି ପଶ୍ଚିମବଙ୍ଗ ବ୍ୟାନ କଲା? ଦେଶର ଅନ୍ୟ ପ୍ରାନ୍ତରେ ଏହି ଫିଲ୍ମ ଚାଲିଛି ଓ କିଛି ବି ଅସୁବିଧା ହେଉନି।”
ଶୁଣାଣି ସମୟରେ ଫିଲ୍ମ ନିର୍ମାତାଙ୍କ ଓକିଲ ହରିଶ ସାଲଓ୍ବେ କହିଛନ୍ତି, ମେ’ ୫ ରେ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଟ(ସିବିଏଫସି) ପ୍ରମାଣପତ୍ର ପରେ ଫିଲ୍ମ ମୁକ୍ତିଲାଭ କରିଥିଲା। ପଶ୍ଚିମବଙ୍ଗ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇଛି। ତାମିଲନାଡୁରେ ମଧ୍ୟ ଫିଲ୍ମ ପ୍ରଦର୍ଶିତ ହେବାକୁ ଦିଆଯାଉନାହିଁ। ସୁପ୍ରିମକୋର୍ଟ ପୂର୍ବରୁ ଅନେକ ମାମଲାରେ ରାଜ୍ୟ ସରକାରଙ୍କ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକକୁ ବାତିଲ କରିସାରିଛନ୍ତି ଏବଂ ଆଇନଶୃଙ୍ଖଳା ବଜାୟ ରଖିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି। ସୁପ୍ରିମକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୭ରେ ହେବ ବୋଲି ସୂଚନା ମିଳିଛି।
Powered by Froala Editor