ସଂଜୟ ଦତ୍ତଙ୍କୁ ମିଳିଲା ୟୁଏଇର ଗୋଲଡେନ୍ ଭିସା

ସଂଜୟ ଦତ୍ତଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ଗୋଲଡେନ୍ ଭିସା ମିଳିଛି। ୟୁଏଇର ଜିଡିଆରଏଫଏ, ଦୁବାଇ ମହାନିର୍ଦ୍ଦେଶକ ମେଜର ଜେନେରାଲ ମହମ୍ମଦ ଅଲ୍ ମାରି ସଞ୍ଜୟଙ୍କୁ ଏହି ଭିସା ପ୍ରଦାନ କରିଛନ୍ତି । ସଞ୍ଜୟ ଦତ୍ତ ଏନେଇ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସଞ୍ଜୟ ଦତ୍ତ ଗୋଲଡେନ୍ ଭିସା ପାଇଥିବାରୁ ୟୁଏଇ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗୋଲଡେନ୍ ଭିସା ପାଇବାର ଖୁସି ପ୍ରକାଶ କରି ସଞ୍ଜୟ ଦତ୍ତ ତାଙ୍କ ଟ୍ୱିଟରେ ଲେଖିଛନ୍ତି, 'ମେଜର ଜେନେରାଲ ମହମ୍ମଦ ଅଲ ମାରିଙ୍କ ଉପସ୍ଥିତିରେ ୟୁଏଇର ଗୋଲଡେନ୍ ଭିସା ପାଇ ମୁଁ ଗୌରବାନ୍ୱିତ। ଏହି ସମ୍ମାନ ପାଇଁ ୟୁଏଇ ସରକାରଙ୍କୁ ଧନ୍ୟବାଦ ।'
ସୂଚନାଯୋଗ୍ୟ, ୟୁଏଇ କର୍ତ୍ତୃପକ୍ଷ ୨୦୧୯ରୁ ଏଭଳି ଭିସା ପ୍ରଦାନ କରୁଛନ୍ତି । ସେଠାରେ କାମ କରିବା, ବାସ କରିବା, ଅଧ୍ୟୟନ ଏବଂ ବ୍ୟବସାୟ ପରିଚାଳନା ପାଇଁ ବିଦେଶୀ ନାଗରିକଙ୍କୁ ଏଭଳି ଭିସା ଯୋଗାଇ ଦିଆଯାଉଛି । ଏହାଦ୍ୱାରା ବିଦେଶୀ ନିବେଶକ ଏବଂ ବ୍ୟବସାୟୀମାନେ ୟୁଏଇରେ ନିବେଶ ଓ ବ୍ୟବସାୟ କରିବା ସହିତ ସେମାନଙ୍କ ବ୍ୟବସାୟର ପୂର୍ଣ୍ଣ ମାଲିକ ହୋଇପାରୁଛନ୍ତି । ଏହାକୁ ନେଇ ସଞ୍ଜୟ ଦତ୍ତ ଓ ତାଙ୍କ ପ୍ରଥମ ପତ୍ନୀ ରିଚା ଶର୍ମାଙ୍କ ଝିଅ ତ୍ରିଶାଲା ଖୁସି ବ୍ୟକ୍ତ କରିଛନ୍ତି । ଭାରତରୁ ଏପର୍ଯ୍ୟନ୍ତ କେବଳ ଶାହରୁଖ ଖାନ୍ ଏହିଭଳି ଭିସା ପାଇଥିବା ଜଣାଯାଇଛି ।
ସଞ୍ଜୟ ଦତ୍ତ ବଲିଉଡର ସେହି ଷ୍ଟାରମାନଙ୍କ ମଧ୍ୟରୁ ଜଣେ ଯିଏକି ପ୍ରାୟତଃ ଦୁବାଇ ଯାତାୟତ କରନ୍ତି । ଗତ ବର୍ଷ ସେପ୍ଟେମ୍ବର ୨୦୨୦ ରେ ସେ ତାଙ୍କ ପତ୍ନୀ ମାନ୍ୟତାଙ୍କ ସହ ଦୁବାଇ ଯାଇଥିବା ଦେଖିବାକୁ ମିଳିଥିଲା। ମାନ୍ୟତା ସୋସିଆଲ ମିଡିଆରେ ଦୁବାଇ ଟ୍ରିପର ଫଟୋ ସେୟାର କରିଥିଲେ।
ସୂଚନା ଅନୁଯାୟୀ, ସଞ୍ଜୟ ଦତ୍ତଙ୍କ ଦ୍ୱିତୀୟ ଘର ଦୁବାଇରେ ଅଛି । ଯେଉଁଠାରେ ତାଙ୍କ ପତ୍ନୀ ଏବଂ ଉଭୟ ପିଲାଙ୍କ ସହିତ ରହୁଛନ୍ତି । ପିଲାମାନେ ଦୁବାଇରେ ଅଧ୍ୟୟନ କରୁଛନ୍ତି । ବର୍ତ୍ତମାନ ସଞ୍ଜୟ ଦତ୍ତଙ୍କୁ ବାରମ୍ବାର ଭିସା ନେବାକୁ ପଡ଼ିବ ନାହିଁ, କାରଣ ଗୋଲଡେନ୍ ଭିସା ପାଇବା ପରେ ସଞ୍ଜୟ ୟୁଏଇରେ ୧୦ ବର୍ଷ ରହିପାରିବେ ।
Powered by Froala Editor