‘ସାର୍ବଭୌମତ୍ୱ’ ଶବ୍ଦ ପାଇଁ ସୋନିଆ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖକୁ ଗଲା ବିଜେପି
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦେଇଥିବା ବୟାନକୁ ନେଇ ବିଜେପି ସୋମବାର ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି । ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଜାରି କରିବାକୁ ଅନୁରୋଧ କରିଛି। କର୍ଣ୍ଣାଟକ ଏକ ରାଜ୍ୟ ହୋଇଥିବାରୁ ‘କର୍ଣ୍ଣାଟକର ସାର୍ବଭୌମତ୍ୱ’ ପ୍ରସଙ୍ଗ ଉଠାଇଥିବାରୁ ଜୋରଦାର ବିରୋଧ କରିଛି ବିଜେପି।
ସୋନିଆ କର୍ଣ୍ଣାଟକା ବିଧାନସଭା ନିର୍ବାଚନର ପ୍ରଚାର ବେଳେ ‘ସାର୍ବଭୌମତ୍ୱ’ ଶବ୍ଦର ବ୍ୟବହାର କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି। ଏନେଇ ଆଜି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ବିଜେପିର ଗୋଟିଏ ପ୍ରତିନିଧି ମଣ୍ଡଳ ନିର୍ବାଚନ କମିଶନରଙ୍କୁ ଭେଟିଛନ୍ତି। କର୍ଣ୍ଣାଟକାରେ ପ୍ରଚାର ବେଳେ ସୋନିଆ ଜାଣିଶୁଣି ସାର୍ବଭୌମତ୍ୱ ଶବ୍ଦର ବ୍ୟବହାର କରିଥିଲେ। ସେ ଟୁକଡେ ଟୁକଡେ ଗ୍ୟାଙ୍ଗର ଏଜେଣ୍ଡାକୁ ପ୍ରଦର୍ଶନ କରିଛନ୍ତି। ଭାରତକୁ ଦୁର୍ବଳ କରିବାକୁ ସେ ଏପରି ଶବ୍ଦର ବ୍ୟବହାର କରିଥିବା ଶ୍ରୀ ଯାଦବ ଅଭିଯୋଗ କରିଛନ୍ତି।
ନିର୍ବାଚନ କମିଶନକୁ ଦେଶର ଗଣତନ୍ତ୍ର ଓ ଦେଶର ଅଖଣ୍ଡତାକୁ ସୁରକ୍ଷିତ ରଖିବାର ଦାୟିତ୍ୱ ମିଳିଛି। ତେଣୁ କଂଗ୍ରେସର ଦେଶ ବିରୋଧୀ କାମ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି।
ଶନିବାର ହୁବଲିରେ ଏକ ପ୍ରଚାର ରାଲିରେ ସୋନିଆ ଗାନ୍ଧି ଦେଇଥିବା ଭାଷଣକୁ ଉଲ୍ଲେଖ କରି କଂଗ୍ରେସ ଟୁଇଟ୍ କରି କହିଛି ଯେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ ୬.୫ କୋଟି କନ୍ନଡିଗାଙ୍କୁ ଏକ କଠୋର ବାର୍ତ୍ତା ଦେଇଛନ୍ତି ଏବଂ ଜନସଭାରେ ତାଙ୍କ ଭାଷଣର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ‘କର୍ଣ୍ଣାଟକର ପ୍ରତିଷ୍ଠା, ସାର୍ବଭୌମତ୍ୱ କିମ୍ବା ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବାକୁ କଂଗ୍ରେସ କାହାକୁ ଅନୁମତି ଦେବ ନାହିଁ’ ବୋଲି କଂଗ୍ରେସ ଏହି ଟୁଇଟ୍ କରି ଲେଖିଛି। ଏହି ବୟାନକୁ ଆଶ୍ଚର୍ଯ୍ୟଜନକ ଏବଂ ଗ୍ରହଣୀୟ ନୁହେଁ ବୋଲି ବର୍ଣ୍ଣନା କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି ବିଜେପି।
Powered by Froala Editor