ସଂସ୍କୃତ ପରୀକ୍ଷାରେ ଟପ୍ପର ହେଲେ ମୁସଲିମ ଛାତ୍ର

ଜଣେ ମୁସଲିମ ଛାତ୍ର। କିନ୍ତୁ ଉତ୍ତର ପ୍ରଦେଶର ଦ୍ୱାଦଶ ଶ୍ରେଣୀ ସଂସ୍କୃତ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ନାଁ ତାଙ୍କର ମହମ୍ମଦ ଇରଫାନ। ଇରଫାନ ଉତ୍ତର ପ୍ରଦେଶ ସଂସ୍କୃତ ଶିକ୍ଷା ପରିଷଦ ବୋର୍ଡର ଉତ୍ତର ମଧ୍ୟମା-୨(ଦ୍ୱାଦଶ ଶ୍ରେଣୀ) ପରୀକ୍ଷାରେ ୮୨.୭୧% ମାର୍କ ରଖି ଉଦାହରଣ ପାଲଟିଛନ୍ତି। ସେ ପ୍ରାୟ ୧୩ ହଜାର ପିଲାଙ୍କୁ ପଛରେ ପକାଇ ସଫଳତା ପାଇଛନ୍ତି।
ଉତ୍ତର ପ୍ରଦେଶର ଚନ୍ଦୌଲି ଜିଲ୍ଲାରେ ରହୁଥିବା ସଲାଉଦ୍ଦିନଙ୍କ ପୁଅ ହେଉଛନ୍ତି ଇରଫାନ। ସଲାଉଦ୍ଦିନ ଶ୍ରମିକ ଭାବେ କାମ କରନ୍ତି। କିନ୍ତୁ ତାଙ୍କ ପୁଅ ଇରଫାନ ମୁସଲିମ ହୋଇଥିଲେ ମଧ୍ୟ ସଂସ୍କୃତ ଭାଷା ପ୍ରତି ଦୁର୍ବଳତା ରହିଛି। ସଂସ୍କୃତ ଶିକ୍ଷକ ହେବାକୁ ସବୁବେଳେ ସ୍ୱପ୍ନ ଦେଖୁଥିବା ଇରଫାନ ୧୦ମ ଓ ଦ୍ୱାଦଶ ପରୀକ୍ଷାର ଟପ୍ ୨୦ରେ ରହିଥିବା ପିଲାମାନଙ୍କ ମଧ୍ୟରେ ଏକମାତ୍ର ମୁସଲିମ।
ସଲାଉଦ୍ଦିନ କହିଛନ୍ତି, “ମୁଁ ଜଣେ ଶ୍ରମିକ। ମୁଁ ଦିନ ସାରା କାମ କରି ୩୦୦ ଟଙ୍କା ରୋଜଗାର କରେ। ମାସକ ମଧ୍ୟରେ ବହୁତ କମ ଦିନ କାମ ପାଏ। ସେ ମୋର ଏକମାତ୍ର ପିଲା। ସେ ପାଠ ପଢ଼ୁ ବୋଲି ଚାହୁଁଥିଲି। ସଂପୂର୍ଣ୍ଣାନନ୍ଦ ସଂସ୍କୃତ ସ୍କୁଲରେ ମୁଁ ଇରଫାନର ନାଁ ଲେଖାଇଥିଲି।” ସ୍କୁଲ ଯିବାର ପ୍ରଥମ ଦିନରୁ ହିଁ ଇରଫାନ ସଂସ୍କୃତ ପ୍ରତି ଭଲ ପାଇବା ଦେଖାଇଥିଲେ ବୋଲି ବାପା ସଲାଉଦ୍ଦିନ କହିଛନ୍ତି।
Powered by Froala Editor