କଂଗ୍ରେସ ନେତାଙ୍କ ଘରେ ପଶିଲେ ଆୟକର ଅଧିକାରୀ, ଗଛ କୋରଡରୁ ମିଳିଲା କୋଟିଏ ଟଙ୍କା

କର୍ଣ୍ଣାଟକରେ ନିର୍ବାଚନୀ ମାହୋଲ ସରଗରମ ଥିବାବେଳେ ଜଣେ କଂଗ୍ରେସ ନେତାଙ୍କ ଘରୁ କୋଟିଏ ଟଙ୍କା ଜବତ ହୋଇଛି । ତାପୁଣି ଏକ ଗଛର କୋରଡରୁ ମିଳିଛି ବିଡା ବିଡା ଟଙ୍କା । କର୍ଣ୍ଣାଟକ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୁଲିସ୍ ଓ ଆୟକର ବିଭାଗର ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଆକସ୍ମିକ ଚଢ଼ାଉ ଜାରି ରଖିଛନ୍ତି। ଏହି କ୍ରମରେ ବୁଧବାର ଆୟକର ବିଭାଗର ଅଧିକାରୀମାନେ କଂଗ୍ରେସର ଜଣେ ନେତାଙ୍କ ଘରେ ଚଢ଼ାଉ କରିଥିଲେ। ଏହି ସମୟରେ ତାଙ୍କ ବାସଭବନର ବଗିଚାରେ ଥିବା ଏକ ଗଛର କୋରଡ଼ରୁ ଆୟକର ବିଭାଗର ଅଧିକାରୀମାନେ ନଗଦ ୧କୋଟି ଟଙ୍କା ପାଇଥିଲେ।
ଆୟକର ଅଧିକାରୀମାନେ ମହୀଶୂରରେ ଥିବା ସୁବ୍ରମଣିଅନ ରାୟଙ୍କ ଘରେ ରେଡ୍ କରିଥିଲେ। ସୁବ୍ରମଣିଅନ ହେଉଛନ୍ତି କଂଗ୍ରେସ ନେତା ଅଶୋକ କୁମାର ରାୟଙ୍କ ଭାଇ। ଅଶୋକ ମେ’ ୧୦ ତାରିଖରେ ହେବାକୁ ଥିବା କର୍ଣ୍ଣାଟକା ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ସେ ପୁଟ୍ଟୁର ଆସନରୁ ନିର୍ବାଚନ ଲଢ଼ିବାକୁ ଜୋରଦାର ପ୍ରଚାର କରୁଛନ୍ତି।
ଏସବୁ ଭିତରେ ଆଜି ଆୟକର ବିଭାଗ ହଠାତ୍ ତାଙ୍କ ଭାଇଙ୍କ ଘରେ ପହଞ୍ଚି ଛାନଭିନ କରିଥିଲେ। ଘରୁ କିଛି ମିଳି ନଥିଲା। ହେଲେ ଘରର ବଗିଚାରେ ଥିବା ଗୋଟିଏ ଗଛରୁ ନଗଦ ୧ କୋଟି ଟଙ୍କା ମିଳିଛି। ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି, ଆଇଟି ଅଧିକାରୀମାନେ ଏକ ଘଞ୍ଚ ଗଛର କରୋଡ଼ରେ ରଖାଯାଇଥିବା ଏକ ଆମ୍ବ ବାକ୍ସକୁ ଦେଖୁଛନ୍ତି। ଯେତେବେଳେ ଏହି ବାକ୍ସକୁ ସେମାନେ ଖୋଲୁଛନ୍ତି। ସେଥିରୁ ଗଦାଗଦା ନୋଟ ବାହାରୁଛି। ଏହାକୁ ଅଧିକାରୀମାନେ ଠାବ କରି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।
Powered by Froala Editor