ଓଡ଼ିଶା ଗସ୍ତରେ ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଆଗାମୀ ଶୁକ୍ରବାର ସେ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର ସମ୍ଭାବନା ରହିଛି। ଯଦି ଉଭୟ ନେତାଙ୍କ ମଧ୍ୟରେ ଭେଟଘାଟ ହୁଏ ତେବେ କଣ ଆଲୋଚନା ହେବ ସେ ନେଇ ସମସ୍ତଙ୍କର ତ୍ସୁକତା ରହିଛି। ନୀତିଶ କୁମାର ଓଡ଼ିଶା ଆସିବେ ବୋଲି ଚର୍ଚ୍ଚା ବିହାରରେ ଜୋର୍ ଧରିଥିଲେ ବି ଏଯାଏ ସରକାରୀ ସୂତ୍ରରୁ କୌଣସି ସୂଚନା ମିଳିନାହିଁ।
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି। ଏଥିପାଇଁ ବିଭିନ୍ନ ଆଞ୍ଚଳିକ ଦଳର ନେତୃବୃନ୍ଦଙ୍କୁ ଭେଟୁଛନ୍ତି। ଏହା ଆଗରୁ ସେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ମଧ୍ୟ ଭେଟି ସାରିଛନ୍ତି।
ସେତେବେଳେ ବିଜେପି ବିରୋଧୀ ମେଣ୍ଟ ଗଠନ ଦିଗରେ ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଏପରିକି ଗତ କିଛି ଦିନ ପୂର୍ବେ ମମତା ବାନାର୍ଜୀ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କୁହାଯାଉଥିଲା। ତେବେ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ରଖୁଥିବା ନବୀନ ନୀତିଶଙ୍କ ଏହି ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ। କାରଣ ଏହି ତୃତୀୟ ସାମ୍ମୁଖ୍ୟରେ କଂଗ୍ରେସ ମଧ୍ୟ ରହିଛି। ନୀତିଶ କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ନିକଟରେ ଭେଟିଛନ୍ତି। ଏଭଳିସ୍ଥଳେ ତୃତୀୟ ସାମ୍ମୁଖ୍ୟରେ ବିଜେଡିର ଯୋଗଦାନ ସମ୍ଭାବନା ଯଥେଷ୍ଟ କମ।
Powered by Froala Editor