କିନ୍ନରଙ୍କୁ ମିଳିବ ୧୫୦୦ ଟଙ୍କା ସହାୟତା

ନୂଆଦିଲ୍ଲୀ: କରୋନା ସହ ଲଢ଼ୁଥିବା ସମୟରେ ସମାଜରେ ଥିବା କିନ୍ନରମାନଙ୍କର ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି । କିନ୍ନର ଗୋଷ୍ଠୀରରେ ଆସୁଥିବା ବ୍ୟକ୍ତିମାନେ ବିଭିନ୍ନ ସମୟରେ ସରକାରଙ୍କୁ ଇ-ମେଲ ଏବଂ ଫୋନ କଲ କରି ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ଦୟନୀୟ ଅବସ୍ଥା ଜଣାଇବା ସହିତ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଜୀବନ ଜୀବିକା ପାଇଁ ସହାୟତା ବାବଦରେ ପ୍ରତ୍ୟେକ କିନ୍ନରଙ୍କୁ ଦେଢ଼ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ନରମାନଙ୍କ ପ୍ରଗତି ପାଇଁ କାମ କରୁଥିବା ବେସରକାରୀ ସଂଗଠନ ଏବଂ ଗୋଷ୍ଠୀ ଭିତ୍ତିକ ସଂଗଠନ ଗୁଡ଼ିକୁ ମଧ୍ୟ ଏ ସମ୍ପର୍କିତ ସୂଚନା କିନ୍ନରମାନଙ୍କୁ ଦେବା ପାଇଁ ଅନୁରୋଧ କରାଯାଇଛି । ଏହି ଆର୍ଥିକ ସହାୟତା ପାଇବା ପାଇଁ ଆଧାର ନମ୍ବର, ବ୍ୟାଙ୍କ ଆକାଉଣ୍ଟ ଭଳି କେତେକ ତଥ୍ୟ ଚଳିତ ମାସ ୩୧ ତାରିଖ ସୁଦ୍ଧା ଆବେଦନ କରିବା ପାଇଁ ଆବେଦନ ଫର୍ମ ମଧ୍ୟ ସାମାଜିକ ସୁରକ୍ଷା ରାଷ୍ଟ୍ରୀୟ ପ୍ରତିଷ୍ଠାନର ୱେବସାଇଟରେ ମିଳିପାରିବ । ଗତବର୍ଷ ମନ୍ତ୍ରଣାଳୟ ପକ୍ଷରୁ ଲକଡାଉନ ସମୟରେ କିନ୍ନରମାନଙ୍କୁ ଆର୍ଥିକ ସହାୟତା ଏବଂ ରାସନ କିଟ ଦିଆଯାଇଥିଲା । ଦେଶରେ ଥିବା ପ୍ରାୟ ୭ ହଜାର କିନ୍ନରଙ୍କୁ ହିତ ଦୃଷ୍ଟିରୁ ମୋଟ ୯୮.୫୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । କିନ୍ନର ଓ ତୃତୀୟଲିଙ୍ଗୀ ଗୋଷ୍ଠୀରେ ଆସୁଥିବା ବ୍ୟକ୍ତିମାନଙ୍କ ମାନସିକ ସ୍ଥିତିକୁ କରୋନା ଜନିତ ପରିସ୍ଥିତିରେ ସୁଦୃଢ଼ କରିବା ପାଇଁ ପରାମର୍ଶ ସେବା ଯୋଗାଇବା ନିମନ୍ତେ ମଧ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି ।
Powered by Froala Editor