ଜୁଲାଇରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅଦଳ ବଦଳ ସମ୍ଭାବନା
ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରିମଣ୍ଡଳର ଅଦଳ ବଦଳ ଆସନ୍ତା ଜୁଲାଇ ମାସରେ ହେବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଗତ ରବିବାର ଆରଏସଏସର ସର-କାର୍ଯ୍ୟବାହ ଦତ୍ତାତ୍ରେୟ ହୋସେବଲ, ବିଜେପିର ଉତ୍ତର ପ୍ରଦେଶ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ସୁନୀଲ ବନସଲଙ୍କ ସହିତ ଦୀର୍ଘ ୩ ଘଣ୍ଟା ଧରି ବୈଠକ କରିଛନ୍ତି । କରୋନା ସଙ୍କଟ ପରିଚାଳନା ନେଇ ସରକାରଙ୍କ ଭାବମୂର୍ତ୍ତି କ’ଣ ରହିଛି ଏବଂ ଆସନ୍ତାବର୍ଷରେ ହେବାକୁ ଥିବା ରାଜ୍ୟ ନିର୍ବାଚନ ଉପରେ ଏହାର ପ୍ରଭାବ କ’ଣ ରହିବ ତାହା ଉପରେ ଆଲୋଚନା ହୋଇଥିବା କୁହାଯାଉଛି । ଏଥିସହିତ ଏହି ବୈଠକରେ ଆସନ୍ତା ଜୁଲାଇରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅଦଳବଦଳ କରିବା ଉପରେ ମଧ୍ୟ ଆଲୋଚନା ହୋଇଛି । ମୋଦୀ କିଛି ମନ୍ତ୍ରୀଙ୍କୁ ବିଦା କରି କିଛି ନୂଆ ମୁହଁ ସାମିଲ କରିବା ବିଷୟରେ ଚିନ୍ତା କରୁଛନ୍ତି । ଯେଉଁସବୁ ମନ୍ତ୍ରାଳୟରେ ନୂଆ ମନ୍ତ୍ରୀ ମୋଦୀ ଦେଖିବାକୁ ଚାହୁଛନ୍ତି ସେଥିରେ ସ୍ୱାସ୍ଥ୍ୟ ଅନ୍ୟତମ । ମୋଦୀ ଏଥିପାଇଁ ନାରାୟଣା ହେଲଥର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡାକ୍ତର ଦେବୀ ପ୍ରସାଦ ସେଟ୍ଟୀଙ୍କୁ ଚୟନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଡାକ୍ତର ସେଙ୍ଗୀଙ୍କ ସହିତ ଅନ୍ୟ ଯେଉଁମାନଙ୍କୁ ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବାକୁ ଆଗ୍ରହୀ ସେମାନଙ୍କ ମଧ୍ୟରେ ପୂର୍ବତନ କଂଗ୍ରେସ ନେତା ତଥା ବିଜେପି ଏମପି ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ, ଭୂପିନ୍ଦୂର ଯାଦବ, ମୀନାକ୍ଷୀ ଲେଖି ଏବଂ ଜିଭିଏଲ ନରସିଂହ ରାଓ ପ୍ରମୁଖ ରହିଥିବା ଚର୍ଚ୍ଚା ହେଉଛି ।
Powered by Froala Editor